ଗ୍ୟାସ ଲିକ : ୨୪ ହାସପାତାଳରେ
ମହାରାଷ୍ଟ୍ରର ପୁଣେ ଗଙ୍ଗାଧାମରେ ଥିବା ଏକ କେମିକାଲ କମ୍ପାନୀରେ ଅଘଟଣ ।
ଏଠାରେ ବନ୍ଦ ରହିଥିବା ପ୍ଲାଂଟରୁ କ୍ଲୋରିନ ଗ୍ୟାସ ଲିକ ହେବା ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେତୁ ଅନେକେ ଅସୁସ୍ଥ ହୋଇପଡ଼ିଥିଲେ ।
ଅଗ୍ନିଶମବାହିନୀଙ୍କ ସମେତ ୨୪ଜଣ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।
ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ କୋନ୍ଧୱା ଜିଲାର ଗଙ୍ଗାଧାମ ଅଂଚଳରେ ଥିବା ଏକ ଅଚଳ ଜଳ ବିଶୋଧନ ପ୍ଲାଂଟର ଏକ ଗୋଦାମରୁ ଏହି ଲିକ ହୋଇଥିଲା ।
ରାତି ପ୍ରାୟ ୧ଟା ସମୟରେ ଏକ ପୁରୁଣା କ୍ଲୋରିନ ଟାଙ୍କିରୁ ଗ୍ୟାସ ଲିକ ହେବା ଆରମ୍ଭ ହୋଇ ଗ୍ୟାସ ଚାରିଆଡ଼େ ବ୍ୟାପିଥିଲା । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ତେଣୁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ଆଖପାଖରେ ଥିବା ଅନେକେ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସୁରକ୍ଷା ଉପକରଣ ବ୍ୟବହାର କରି ଲିକ ହେଉଥିବା ଟାଙ୍କିକୁ ସିଲ କରିବାଦ୍ୱାରା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଘଟଣା ଯୋଗୁଁ ଅନେକେ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥଙ୍କ ମଧ୍ୟରେ ୬ଜଣ ଶିଶୁ ଥିବା ଜଣାପଡ଼ିଛି ।
ଅସୁସ୍ଥଙ୍କୁ ସଙ୍ଗେ ସଙ୍ଗେ ହାସପାତାଳକୁ ନିଆଯାଇ ଚିକିତ୍ସା କରାଯାଇଥିଲା ।
ଅଗ୍ନିଶମ ବାହିନୀ ପରିସ୍ଥିତି ଉପରେ ନଜର ରଖିଛି ।