ପୁଣି କମିଲା ସୁନା ଦର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗି ରହିବାଦ୍ୱାରା ବିଶେଷ କରି ଗ୍ୟାସ୍, ପେଟ୍ରୋଲ, ଡିଜେଲ ଭଳି ଜାଳେଣିର ମୂଲ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ସାଧାରଣ ବ୍ୟବସାୟୀ ଓ ସେୟାର ବଜାରରେ ନିବେଶକମାନଙ୍କ ଚିନ୍ତା ବଢ଼ାଇଛି ।
ଏହି କ୍ଷେତ୍ରରେ ସୁନା ଓ ରୂପା ଦର ମଧ୍ୟ ଗତ କିଛିଦିନ ଧରି ହେରଫେର ହେଉଥିବାବେଳେ ଆଜି ପୁଣି ସୁନା ଦର ପୂର୍ବ ମୂଲ୍ୟ ତୁଳନାରେ ୧୦ହଜାର ଟଙ୍କା ହ୍ରାସ ପାଇଛି ।
ବିଶେଷ କରି କଟକ ଓ ଭୁବନେଶ୍ୱର ବଜାରରେ ୨୪କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୧୦,୩୨୦ ଟଙ୍କା ହ୍ରାସ ପାଇବାଦ୍ୱାରା ୧,୩୫,୬୫୦ଟଙ୍କା ହୋଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୯,୪୫୦ଟଙ୍କା ହ୍ରାସ ପାଇଥିବାରୁ ୧,୨୪,୩୫୦ଟଙ୍କା ହୋଇଛି । ସୋମବାର ଦୁଇ ପର୍ଯ୍ୟାୟରେ ଦରରେ ଏଭଳି ହ୍ରାସ ଦେଖିବାକୁ ମିଳିଛି । ସେହିପରି ରୂପା ଦର କିଲୋଗ୍ରାମ ପ୍ରତି ଆଜି ୨୦ହଜାର ଟଙ୍କା ହ୍ରାସ ପାଇ ୨,୩୦,୦୦୦ଟଙ୍କା ହୋଇଛି ।
ଆଗକୁ ପାର୍ବଣ ଋତୁ ରହିଥିବାବେଳେ ଏହି ଦର ହ୍ରାସ ପାଇବାଦ୍ୱାରା ଅନେକେ ଉପକୃତ ହୋଇପାରିବେ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ବିଶେଷ କରି ବିବାହଘର, ବ୍ରତଘର ଏବଂ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଧାରଣ ଗ୍ରାହକ କିଛିଟି ଖୁସି । ତେବେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଏହି ଦୁଇଟିରେ (ସୁନା ଓ ରୂପା) ନିବେଶ କରିଥିବା ବ୍ୟକ୍ତିମାନେ ନିରାଶ ହୋଇଥିବା ପରିଲକ୍ଷିତ ହୋଇଛି ।