କମିସନ ତାଲିକାକୁ ହାଇକୋର୍ଟଙ୍କ ସ୍ଥଗିତାଦେଶ
ଗୁରୁବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ।
ଏହା ପୂର୍ବରୁ ତୃଣମୂଳ କଂଗ୍ରେସର ୮୦୦ ନେତା-କର୍ମୀଙ୍କୁ ଗିରଫ କରାଯିବା ଆଶଙ୍କାକୁ ଗୁରୁତ୍ୱ ଦେଇ ରାଜ୍ୟ ତୃଣମୂଳ କଂଗ୍ରେସ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ।
ବୁଧବାର ସେହି ମାମଲାର ଶୁଣାଣିରେ ତୃଣମୂଳ ନେତା-କର୍ମୀଙ୍କୁ ଗିରଫ ସମ୍ପର୍କିତ ନିର୍ବାଚନ କମିସନର ତାଲିକାକୁ କଲକାତା ହାଇକୋର୍ଟ ସ୍ଥଗିତାଦେଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସମଗ୍ର ରାଜ୍ୟରୁ ୮ଶହ ଭଳି ଦଳର ନେତା-କର୍ମୀଙ୍କୁ ଗିରଫ କରାଯିବା ଆଶଙ୍କାରେ ସୋମବାର ସକାଳେ କଲକାତା ହାଇକୋର୍ଟରେ ତୃଣମୂଳ କଂଗ୍ରେସ ଏକ ମାମଲା କରିଥିଲେ । ଜିଲା ନାମ ଉଲ୍ଲେଖ କରି ଅଦାଲତଙ୍କ ନିକଟରେ ତାଲିକା ଜମା ଦିଆଯାଇଥିଲା ।
ବୁଧବାର ହାଇକୋର୍ଟର ପ୍ରଧାନ ବିଚାରପତି ସୁଜୟ ପାଲ ଏବଂ ପାର୍ଥସାରଥି ସେନଙ୍କ ଡିଭିଜନ ବେଂଚ କମିସନରଙ୍କ ଏହି ସିଦ୍ଧାନ୍ତ ଉପରେ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି । ଜଣାପଡ଼ିଛି ଯେ ବିଷୟକୁ ନେଇ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ କମିସନର ଦ୍ୱାରସ୍ଥ ହୋଇଥିଲା ।
କମିସନର ସହ ବୈଠକ ପରେ ତୃଣମୂଳର ରାଜ୍ୟସଭାର ସାଂସଦ ରାଜୀବ କୁମାର କହିଛନ୍ତି ଯେ କେବଳମାତ୍ର ମୌଖିକ ନିର୍ଦେଶ ଭିତିରେ ପ୍ରାୟ ୫ଶହ ଜଣ ନେତା-କର୍ମୀଙ୍କୁ ଗିରଫ କରାଯାଇଛି ।
ଏହି ଘଟଣା ଫୌଜିଦାରୀ କାର୍ଯ୍ୟବିଧି ଓ ନିର୍ବାଚନୀ ଆଦର୍ଶବିଧି ଲଙ୍ଘନ କରୁଛି । କମିସନର ଯେଉଁ ଅଧିକାରୀମାନେ ଏହି ନିର୍ଦେଶ ନେଇଛନ୍ତି ସେମାନଙ୍କ ବିରୋଧରେ ଆଇନଗତ ଭାବେ ଅଦାଲତରେ ମୁକାବିଲା କରାଯିବ ।