ଭାରତରେ କମୁଛି ଶିଶୁ ମୃତ୍ୟୁହାର
ଭାରତରେ ଶିଶୁ ମୃତୁ୍ୟ ହାର ଗତ ଏକ ଦଶନ୍ଧି ମଧ୍ୟରେ ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।
ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ ୨୦୨୪ର ରିପୋର୍ଟ ଅନୁସାରେ ଦେଶରେ ପ୍ରତି ୧,୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇ ୨୪ରେ ପହଂଚିଛି ।
୨୦୧୯ରେ ଏହି ସଂଖ୍ୟା ୩୦ ଥିଲା । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ଯୋଗୁ ଏହି ସୁଧାର ଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଯଦିଓ ଜାତୀୟ ସ୍ତରରେ ସ୍ଥିତି ଭଲ ଦେଖାଯାଉଛି, ତେବେ କେତେକ ରାଜ୍ୟରେ ଶିଶୁ ମୃତୁ୍ୟ ହାର ଚିନ୍ତାଜନକ ସ୍ଥିତିରେ ରହିଛି ।
୪୨ଜଣଙ୍କ ମଧ୍ୟରୁ ଜଣେ ଶିଶୁ ନିଜର ପ୍ରଥମ ଜନ୍ମଦିନ ପୂର୍ବରୁ ପ୍ରାଣ ହରାଉଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି କ୍ଷେତ୍ରରେ ଗ୍ରାମାଂଚଳରେ ସ୍ଥିତି ବିଶେଷ ଭଲ ନଥିବା ଉଲ୍ଲେଖ କରାଯାଇଛି । ବିଶେଷଜ୍ଞଙ୍କ ମତରେ ଡାକ୍ତରଖାନା (ସ୍ୱାସ୍ଥ୍ୟକେନ୍ଦ୍ର)ରେ ପ୍ରସବ ବୃଦ୍ଧି ପାଇବା ଦ୍ୱାରା ଶିଶୁ ମୃତୁ୍ୟ ହାର ହ୍ରାସ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
୨୦୧୯ ମସିହାରେ ଯେଉଁଠି ୮୩ ପ୍ରତିଶତରୁ କମ ପ୍ରସବ ଡାକ୍ତରଖାନାରେ ହେଉଥିଲା, ୨୦୨୪ରେ ତାହା ୯୫%ରୁ ଅଧିକ ହୋଇଛି ।
ସେହିପରି ୨୦୨୪ରେ ହୋଇଥିବା ମୋଟ ଶିଶୁ ମୃତ୍ୟୁ ମଧ୍ୟରୁ ପ୍ରାୟ ୭୩ ପ୍ରତିଶତ ମୃତ୍ୟୁ ଶିଶୁ ଜନ୍ମ ହେବାର ପ୍ରଥମ ୨୮ଦିନ ମଧ୍ୟର ହିଁ ହୋଇଛି ।
ଏହି ହାର ଯେପରି ଆହୁରି ହ୍ରାସ କରାଯାଇପାରେ ସେଥିପାଇଁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।