ଏସୟୁ-୫୭ ଯୁଦ୍ଧବିମାନ ଦେବ ରୁଷ
ଭାରତକୁ ଅତ୍ୟାଧୁନିକ ପଂଚମ ପିଢ଼ିର ଷ୍ଟେଲଥ ଯୁଦ୍ଧବିମାନ ‘ଏସୟୁ-୫୭’ (ସୁଖୋଇ-୫୭) ଯୋଗାଇ ଦେବାକୁ ରୁଷ ପ୍ରସ୍ତାବ ଦେଇଛି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଆମେ କୌଣସି ପ୍ରତିବନ୍ଧକ କିମ୍ବା ସୀମା ନ ରଖି ଭାରତ ସହିତ ମିଳିତ ଭାବେ ‘ଏସୟୁ-୫୭’ ଯୁଦ୍ଧବିମାନର ବିକାଶ ଓ ଉତ୍ପାଦନ କରିବାକୁ ପ୍ରସ୍ତୁତ । ସେ କହିଛନ୍ତିଯେ ଭାରତକୁ ଏହି ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ବିକାଶ କ୍ଷେତ୍ରରେ ରୁଷ କୌଣସି କଟକଣା ରଖିବ ନାହିଁ ।
ଏହା ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଏକ ପରୋକ୍ଷ କଟାକ୍ଷ ଯେଉଁମାନେ କି ପ୍ରଯୁକ୍ତିବିଦ୍ୟା ଦେବା ସମୟରେ ଅନେକ ସର୍ତ ରଖିଥାଆନ୍ତି । ପୁଟିନ ମନେ ପକାଇ ଦେଇଛନ୍ତି ଯେ ରୁଷ ପ୍ରଥମେ ଏହି ପ୍ରକଳ୍ପ ଭାରତ ସହିତ ମିଳିତ ଭାବେ ଆରମ୍ଭ କରିବାକୁ ଚାହୁଁଥିଲା, କିନ୍ତୁ ସେତେବେଳେ ଭାରତ କହିଥିଲା ଆପଣ (ରୁଷ) ନିଜେ ଏହାକୁ ପ୍ରସ୍ତୁତ କରନ୍ତୁ, ପରେ ଆମେ ଦେଖିବା ।
ଏହାପରେ ରୁଷ ନିଜେ ଏହାକୁ ବିକଶିତ କଲା । କିନ୍ତୁ ରୁଷ ଏବେ ଏହି ପ୍ରଯୁକ୍ତିବିଦ୍ୟା ଭାରତକୁ ଦେବାକୁ ପ୍ରସ୍ତୁତ ରହିଛି । ପୁଟିନଙ୍କ ମତରେ ଏସୟୁ-୫୭ ବର୍ତମାନ ସୁଦ୍ଧା ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ । ଏହା ଶତ୍ରୁର ରାଡାରକୁ ଚକମା ଦେବାରେ ଏବଂ ଆକାଶରୁ ଆକାଶ, ଭୂପୃଷ୍ଠ ତଥା ସମୁଦ୍ରରେ ଥିବା ଲକ୍ଷ୍ୟଭେଦ କରିବାରେ ଅତ୍ୟନ୍ତ ଶକ୍ତିଶାଳୀ ।
ବର୍ତମାନ ଭାରତୀୟ ବାୟୁସେନା ପାଖରେ କୌଣସି ପଂଚମ ପିଢ଼ିର ଷ୍ଟେଲଥ (ଦୃଶ୍ୟମାନ ହେଉ ନଥିବା) ଯୁଦ୍ଧବିମାନ ନାହିଁ ।
ଅପରପକ୍ଷରେ ଚୀନ ପାଖରେ ଜେ-୨୦ ରହିଛି ଏବଂ ପାକିସ୍ତାନ ମଧ୍ୟ ଚୀନଠାରୁ ଜେ-୩୫ ଷ୍ଟେଲଥ ଯୁଦ୍ଦବିମାନ ଆଣିବାକୁ ଯୋଜନା କରୁଛି । ଭାରତ ନିଜର ଦେଶୀ ପଂଚମ ପିଢ଼ିର ଯୁଦ୍ଧବିମାନ ତିଆରି ଉପରେ କାର୍ଯ୍ୟ କରୁଛି, କିନ୍ତୁ ଏହା ବାୟୁସେନାରେ ସାମିଲ ହେବାକୁ ପ୍ରାୟ ୨୦୩୫ ମସିହା ହୋଇଯାଇପାରେ । ଏହି ସମୟ ମଧ୍ୟରେ ସୁରକ୍ଷା ବ୍ୟବଧାନକୁ ପୂରଣ କରିବା ପାଇଁ ଭାରତ ରୁଷରୁ ପ୍ରାୟ ୩୬ଟି (ଦୁଇଟି ସ୍କ୍ୱାଡ୍ରନ) ଏସୟୁ-୫୭ କିଣିବା ବିଷୟରେ ଚିନ୍ତା କରିପାରେ ।
ଭାରତର ସରକାରୀ ପ୍ରତିରକ୍ଷା ସଂସ୍ଥା ହାଲ ବର୍ତମାନ ସୁଖୋଇ ଡିଜାଇନ ବ୍ୟୁରୋ ସହିତ ଯୋଗାଯୋଗ ପୂର୍ବକ ଏହି ଯୁଦ୍ଧବିମାନକୁ ମିଳିତ ଭାବେ ତିଆରି କରିବାକୁ ଯୋଜନା ଚଳାଇଛି ।