ଓଡ଼ିଆ ଉଚ୍ଚାରଣ ଅନୁସାରେ ସ୍ଥାନଗୁଡ଼ିକର ନାମ ପ୍ରସଙ୍ଗ : ଇଂରାଜୀ ବନାନ ସଂଶୋଧନ ନେଇ ସୂଚନା ଜାରି
ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଓଡ଼ିଶାର ସାଂସଦବୃନ୍ଦ, ଓଡ଼ିଶା ବିଧାନସଭାର ସଚିବଙ୍କ ମାଧ୍ୟମରେ ବିଧାୟକ/ବିଧାୟିକା ବୃନ୍ଦ ଏବଂ ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ।
ପ୍ରକାଶ ଥାଉ କି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲା, ଜିଲା ସଦର ମହକୁମା, ଉପଖଣ୍ଡ, ତହସିଲ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବୃବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡ଼ିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜପପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ୱାନ କରାଯାଇଥିଲା ।
ଏହି କ୍ରମରେ ରାଜ୍ୟର ଜନପ୍ରତିନିଧିଗଣ ଏବଂ ସାଧାରଣ ନାଗରିକମାନଙ୍କଠାରୁ ଅନେକେ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିସ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ୱାନ କରାଯାଇଛି ।
ଉକ୍ତ ପ୍ରସ୍ତାବଗୁଡ଼କ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କ ମତାମତ ତଥା ସୁଚିନ୍ତିତ ପରାମର୍ଶ ଏପ୍ରିଲ ୨୨ତାରିଖରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର ଠିକଣାରେ ପତ୍ର କିମ୍ବା ଇମେଲ isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି ।