ସକାଳୁଆ ସ୍କୁଲ ପାଇଁ ନିର୍ଦେଶ
ପୂର୍ବ ତୁଳନାରେ ରୌଦ୍ରତାପ ବୃଦ୍ଧି ପାଇଛି ।
ଏପରିସ୍ଥଳେ ପାଣିପାଗ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଉଛି । ବିଶେଷ କରି ଛାତ୍ରଛାତ୍ରୀ, ବୟସ୍କ ଓ ମହିଳାମାନେ ଯେପରି ଗ୍ରୀଷ୍ମପ୍ରବାହର ଶିକାର ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦେଶ ଜାରି କରିଛନ୍ତି । ଛାତ୍ରଛାତ୍ରୀମାନେ ସକାଳ ୬ଟା ୩୦ ମିନିଟରୁ ସକାଳ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ପାଠ ପଢ଼ିବେ ।
ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଆଗାମୀ ଗ୍ରୀଷ୍ମପ୍ରବାହ ଛୁଟି ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ସକାଳୁଆ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏଭଳି ନିର୍ଦେଶ ଜାରି କରାଯାଇଛି ବୋଲି ଗଣଶିକ୍ଷା ସଚିବ ଏନ ତିରୁମାଳା ନାଏକ ସୂଚାଇଛନ୍ତି ।
ସେହିପରି ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।
ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦେଶ ହୋଇଥିବାବେଳେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଯଦି ଅଚଳ ରହିଥାଏ, ତେବେ ତାହା ତୁରନ୍ତ ମରାମତି ପାଇଁ କୁହାଯାଇଛି ।
ସେହିପରି ପାଣି ପିଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କିଛି ବିରତି ଦେବାକୁ ହେବ । ବିଦ୍ୟାଳୟ୍ରରେ ଓଆରଏସ ପ୍ୟାକେଟ ମହଜୁଦ ରଖିବାକୁ ହେବ । ବିଦ୍ୟାଳୟ ବାହାରେ କାର୍ଯ୍ୟକ୍ରମକୁ କମ୍ ଗୁରୁତ୍ୱ ଦେବାକୁ ପଡ଼ିବ ।
ବିଶେଷ କରି ସାଧାରଣ ଛାତ୍ରଛାତ୍ରୀ ଯେପରି ରୌଦ୍ରତାପରୁ ମୁକ୍ତି ପାଇପାରନ୍ତି ସେଥିପ୍ରତି ନଜର ରଖିବାକୁ ହେବ ବୋଲି ପରାମର୍ଶ ଦିଆଯାଇଛି ।