ଝାଡ଼ଖଣ୍ଡ ବାଘମାରାରେ ଭୂସ୍ଖଳନ
ଝାଡ଼ଖଣ୍ଡ ଧନବାଦ ଜିଲାର ବାଘମାରା ଅଂଚଳର ଚଣ୍ଡାବାଡ଼ି ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଜମି ଧସିଯିବା କାରଣରୁ ଏକ ଭୟାବହ ଦୁର୍ଘଟଣା ଘଟିଥିଲା ।
ଦେଖୁଦେଖୁ ପ୍ରାୟ ୧୦ଟି ଘର ମାଟି ଭିତରକୁ ପଶିଯାଇଥିଲା । ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଏକ ମୋଟର ସାଇକଲ ମଧ୍ୟ ଧସିଯିବା ସହ ଏକ ମାରୁତି କାର ମଲବାରେ ଫସିଯାଇଥିବା ଜଣାପଡ଼ିଛି ।
ପ୍ରଚଣ୍ଡ ଶବ୍ଦ ସହିତ ଘଟିଥିବା ଏହି ଘଟଣା ଯୋଗୁଁ ଅଂଚଳରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଘରୁ ବାହାରି ସେହି ସ୍ଥାନରୁ ଚାଲିଯିବାଦ୍ୱାରା ଅନେକେ ଅଳ୍ପକରେ ରକ୍ଷା ପାଇଛନ୍ତି । ଆହୁରି ଜଣାପଡ଼ିଛି ଯେ ଏହି ଅଘଟଣ ଯୋଗୁଁ ପ୍ରାୟ ୧୦୦ଟି ଭଳି ଘରେ ଫାଟ ସୃଷ୍ଟି ଯୋଗୁଁ ସେଗୁଡ଼ିକ ମଧ୍ୟ ଧସିଯିବା କିମ୍ବା ନଷ୍ଟ ହେବାର ଆଶଙ୍କା ରହିଛି ।
ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କଦ୍ୱାରା ମାଲବାରୁ ବାହାର କରି ଅସର୍ଫି ହସ୍ପିଟାଲକୁ ନେଇଯାଇଥିଲେ । ଗୁରୁତର ଆହତଙ୍କୁ ବିଶେଷ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସୂଚନା ମିଳିବା ମାତ୍ରେ ଧନବାଦ ଜିଲା ପ୍ରଶାସନ ଓ ଭାରତ କୋକିଂ କୋଲ ଲିମିଟେଡ (ବିସିସିଏଲ) ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅନ୍ୟପକ୍ଷରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଦ୍ୱାରା ପୀଡ଼ିତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ପ୍ରତ୍ୟକ୍ଷଦର୍ଶୀ ମନୋଜ ସିଂହ କହିଛନ୍ତି ଯେ ହଠାତ୍ ଜୋର ଧମାକା ହେଲା ଏବଂ ଜମି କମ୍ପିବାକୁ ଆରମ୍ଭ କରିଥିଲା । କିଛି ସମୟ ମଧ୍ୟରେ ନିକଟସ୍ଥ ୧୦ଟି ଭଳି ଘର ମାଟି ଭିତରକୁ ପଶିଯାଇଥିଲା ।
ତେବେ ଏଭଳି କାହିଁକି ହେଲା ତାହା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।