ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା
ସୋମବାର ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମନ୍ଦିର କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
ନୀତିକାନ୍ତି ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥକୁ ଆଜି ଭକ୍ତମାନେ ବାହୁଡ଼ା ଉପଲକ୍ଷେ ଟାଣିବେ । ଗତ ଗୁରୁବାର ଅଶୋକାଷ୍ଟମୀ ଦିନଠୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ପ୍ରଭୁ ଲିଙ୍ଗରାଜ, ଦେବୀ ଦୁର୍ଗା ଓ ଦୋଳଗୋବିନ୍ଦ ।
ଯାହାକି ଆଜି ଏହି ଦେବାଦେବୀଙ୍କୁ ରଥରେ ରାମେଶ୍ୱରରୁ ସ୍ୱର୍ଣ୍ଣାଂଚଳକୁ ଲେଉଟାଇ ଅଣାଯିବ । ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା । ଅର୍ଥାତ ବିନା ମୋଡ଼ରେ ରଥ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣୀ ମୋଡ଼ ହେଉଥିବାବେଳେ ରୁକୁଣା ରଥ କୌଣସି ମୋଡ଼ ନେଇ ନଥାଏ ।
ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ । ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ । ଏହି ଦ୍ୱାରରେ ସାରଥୀ ବହ୍ମା, ଚାରି ଅଶ୍ୱ ଓ ଇଶଙ୍କୁ ଆଗରୁ ଆଣି ନୂତନ ପଟ ଦ୍ୱାରରେ ଲଗାଯାଏ । ସେହିପରି ସିଂହାସନ ପ୍ରଭାଙ୍କୁ ମଧ୍ୟ ବୁଲାଇ ଦିଆଯାଇଥାଏ ।
ଏଥି ସହିତ ନୂତନ ପଟ ଦ୍ୱାରରେ ଚାରମାଳ ବନ୍ଧା ଯାଇଥାଏ । ଯାହା ଫଳରେ ଠାକୁରମାନେ ଏହି ନୂତନ ଦ୍ୱାରରେ ପହଣ୍ଡି ହୋଇ ରଥ ଉପରକୁ ଆସିଥାଆନ୍ତି ।