ମୟୂରଭଞ୍ଜ ଜଙ୍ଗଲରେ ମଣିଷଖିଆ ବାଘ
ବାଘ ଆକ୍ରମଣରେ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।
ଜଣାପଡ଼ିଛି ଯେ ବ୍ୟକ୍ତିଜଣଙ୍କୁ ବାଘଟି ଖାଇ ଦେହର କିଛି ଅଂଶ ପରିତ୍ୟକ୍ତ ଅବସ୍ଥାରେ ପକାଇ ଦେଇଛି । କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡ଼ାବାଡ଼ି ଗାଁ ରାଜାମ ସାହି ନିକଟ ଜଙ୍ଗଲରେ ପଡ଼ିଛି ଜଣେ ମଣିଷର ଦୁଇଟି କ୍ଷତାକ୍ତ ଗୋଡ଼ । ବାଘଟି ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାର ଶରୀରର ଅଧା ଅଂଶ ଖାଇଦେଇଛି ।
ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ । ଘଟଣାସ୍ଥଳରେ ଯଶିପୁର ପୁଲିସ ଓ ବନବିଭାଗ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଗତ ରବିବାର ସକାଳେ ସାଧୁ ନିଜ ଛେଳିଙ୍କ ପାଇଁ ପତ୍ର ସଂଗ୍ରହ କରିବା ସକାଶେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ତେବେ ବଳିମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାଦ୍ୱାରା ଘର ଲୋକେ ଖୋଜିଖୋଜି କରିଥିଲେ ।
ସୋମବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ମଧ୍ୟରୁ ତାଙ୍କର ଦୁଇଟି କଟାଗୋଡ଼ ଏବଂ ଏକ ରକ୍ତାକ୍ତ ଲୁଙ୍ଗି ପଡ଼ିଥିବାର ଦେଖିବାକୁ ପାଇଥିଲେ । ପାରିପାର୍ଶିକ ସ୍ଥିତିରୁ ଏକ ବାଘ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଶରୀରର ଅଧା ଅଂଶ ଖାଇଦେଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି ।
ଏହି ବିଷୟରେ ଖବର ପାଇବା ମାତ୍ରେ ଯଶୀପୁର ପୁଲିସ ଏବଂ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ବାଘ ଆକ୍ରମଣର ଏହି ଭୟାନକ ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଘଟଣାକୁ ନେଇ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।