ବଢ଼ିବ ଔଷଧ ମୂଲ୍ୟ!
ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ସମଗ୍ର ଦେଶରେ ବୃଦ୍ଧି ପାଇବାକୁ ଯାଉଛି, ଯାହାଦ୍ୱାା ସାଧାରଣ ଖଟିଖିଆ ଓ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି ।
ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଦାରଣ ପ୍ରାଧିକରଣ (ଏନ୍ପିପିଏ) ୨୦୨୫ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି ।
ନୂତନ ନିୟମ ଅନୁସାରେ ଔଷଧ କମ୍ପାନୀଗୁଡ଼ିକ ବାର୍ଷିକ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏକ ନିର୍ଦ୍ଦିଷ୍ଟ ସୂତ୍ର ଅନୁସାରେ ପୃଥକ ସରକାରୀ ଅନୁମୋଦନ ବିନା ସେମାନଙ୍କ ଉତ୍ପାଦର ଏମଆରପି ବୃଦ୍ଧି କରିପାରିବେ ।
ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ମୁଖ୍ୟ ଉପାଦାନ ମୂଲ୍ୟ ବୃଦ୍ଧି ହେବା ଏହି ଦରବୃଦ୍ଧିର କାରଣ ବୋଲି ଆଲୋଚନା ହେଉଛି । ଚାମ୍ବର ଅଫ୍ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (ସିସିଆଇ) ଅନୁଯାୟୀ ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି ଯୋଗୁଁ ବାଣିଜ୍ୟ ପ୍ରଭାବିତ ହୋଇଛି ।
ବିଶେଷ କରି ପ୍ୟାକେଜିଂ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଦାନା, ଆଲୁମିନିୟମ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମହଙ୍ଗା ହୋଇଥିବାରୁ ଔଷଧର ଉତ୍ପାଦନ ଖର୍ଚ ବୃଦ୍ଧି ପାଇଛି । ସିରିଞ୍ଜ ଓ ଥର୍ମୋମିଟର ଭଳି ଚିକିତ୍ସା ଉପକରଣର ମୂଲ୍ୟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି ।
ନିକଟ ଅତୀତରେ ସାଧାରଣତଃ ବ୍ୟବହୃତ ହେଉଥିବା ଅନେକେ ଔଷଧର କଂଚାମାଲ ମୂଲ୍ୟରେ ଆକାଶଛୁଆଁ ବୃଦ୍ଧି ଘଟିଛି । ପାରାସିଟାମଲର ମୂଲ୍ୟ ପ୍ରାୟ ୪୭% ବୃଦ୍ଧି ପାଇଥିବାବେଳେ ବିନ୍ଧା ଔଷଧ ବା ପେନ୍ କିଲର ଭଳି ଔଷଧର ମୂଲ୍ୟ ୫୪% ବୃଦ୍ଧି ପାଇଛି ।
ସେହିପରି ଆଂଟିବାୟୋଟିକ ଭଳି ଔଷଧ ୪୫% ବୃଦ୍ଧି ପାଇଛି । ଯାହାକୁ ନେଇ ସାଧାରଣ ରୋଗୀ ଓ ପରିବାର ଚିନ୍ତାରେ ପଡ଼ିଛନ୍ତି ।