ଓଡ଼ିଶା ମୁହାଁ ମୌସୁମି
ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର କୌଣସି ସଂକେତ ମିଳୁନାହିଁ ।
ପୂର୍ବରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ବାୟୁମଣ୍ଡଳରେ ଆର୍ଦ୍ରତା ଥିଲା, ଏବେ ଦକ୍ଷିଣ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ବାୟୁମଣ୍ଡଳକୁ ଆର୍ଦ୍ରତା ଆସିଲାଣି । ଗତ ୪୮ଘଂଟା ପୂର୍ବେ ବଙ୍ଗୋପସାଗରରେ ଯେଉଁ ଆର୍ଦ୍ରତା ସ୍ଥିତି ଥିଲା, ବର୍ତମାନ ଦେଖିଲେ ଆର୍ଦ୍ରତା ସ୍ଥିତିରେ ପରିବର୍ତନ ଆସିଛି ।
ତେଣୁ ଓଡ଼ିଶା ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅଗ୍ରସର ହେଉଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ର. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବଙ୍ଗୋପସାଗରରେ ଆଗକୁ ବଢ଼ିଛି । ସାମୁଦ୍ରିକ ଆର୍ଦ୍ରତା ଧୀରେ ଧୀରେ ଓଡ଼ିଶା ଉପରକୁ ବିସ୍ତାର କରୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପାଗ ମେଘୁଆ ଓ ଗୁଳୁଗୁଳିପୂର୍ଣ୍ଣ ଅବସ୍ଥାକୁ ଆସିଛି ।
ଯଦିଓ ବଙ୍ଗୋପସାଗରରେ ଏପର୍ଯ୍ୟନ୍ତ କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ସୃଷ୍ଟି ହୋଇନାହିଁ, ତଥାପି ମୌସୁମୀ ଦୁର୍ବଳ ହେବାର କୌଣସି ସଂକେତ ନାହିଁ । ଗୋଟିଏ ସପ୍ତାହ ପୂର୍ବର ସ୍ଥିତି ତୁଳନାରେ ବର୍ତମାନର ବାୟୁମଣ୍ଡଳୀୟ ପରିବେଶ ମୌସୁମିର ଅଗ୍ରଗତି ପାଇଁ ଅଧିକ ଅନୁକୂଳ ହେବାରେ ଲାଗିଛି ।
ତେବେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଉପକୂଳ ଅଂଚଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଜାରି ରହିବ । ଆସନ୍ତା ୧୦ ତାରିଖ ମଧ୍ୟରେ ସାମୟିକ ଗ୍ରୀଷ୍ମପ୍ରବାହ ଜାରି ରହିବ । ମଝିରେ ମଝିରେ ବିଜୁଳି ଘଡଘଡ଼ି ସହ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
୧୦ରୁ ୧୩ ମଧ୍ୟରେ ପଶ୍ଚିମ ଓଡ଼ିଶାର ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଦି ଏବଂ ଘନ ମେଘମାଳା ଯୋଗୁଁ ପାଗରେ ପରିବର୍ତନ ଆସିବ । ପଶ୍ଚିମ ଓଡ଼ିଶାରେ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ମୌସୁମି ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ପରେ ଅର୍ଥାତ ୧୫ରୁ ୧୮ ତାରିଖ ମଧ୍ୟରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।