ନଅ ଆତଙ୍କବାଦୀ ଗିରଫ
ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଚେଲ ଆଇଏସଆଇ ସମର୍ଥିତ ନେଟୱାର୍କ ଓ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ଅଭିଯୋଗରେ ନଅଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ।
ଏହି ଗିରଫଦାରୀ ଦ୍ୱାରା ସୀମାପାର ହ୍ୟାଣ୍ଡଲର, ପାଣ୍ଠି ଓ ସମ୍ଭାବ୍ୟ ଟାର୍ଗେଟ ସମ୍ପର୍କରେ ବ୍ୟାପକ ତଦନ୍ତ ଆରମ୍ଭ କରିଛନ୍ତି । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ସହିତ ଜଡ଼ିତ ଏକ ନେଟୱାର୍କର ନଅଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।
ଅଧିକାରୀମାନେ କହିଛନ୍ତିଯେ ଅଭିଯୁକ୍ତମାନେ ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟାନ୍ୟ ସହରର ପ୍ରମୁଖ ଅନୁଷ୍ଠାନ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ବିଦେଶରେ ଥିବା ହ୍ୟାଣ୍ଡଲରଙ୍କ ନିର୍ଦେଶ ଏମାନେ କାମ କରୁଥିଲେ । ଦେଶ ଭିତରେ ଆତଙ୍କ ସୃଷ୍ଟି କରିବା ଓ ସୁରକ୍ଷାକୁ ବିପର୍ଯ୍ୟସ୍ତ କରିବାକୁ ବିଭିନ୍ନ ସ୍ଥାନରେ ଟାର୍ଗେଟ କରି ଆକ୍ରମଣ କରିବାକୁ ନିୟୋଜିତ ହୋଇଥିଲେ ।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସ୍ୱତନ୍ତ୍ର ସେଲଦ୍ୱାରା ସମନ୍ୱିତ ଅପରେସନ ପରେ ଏହି ଗିରଫଦାରୀ କରାଯାଇଥିଲା । ପୁଲିସ ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ଜବତ ସାମଗ୍ରୀରେ ଅତ୍ୟାଧୁନିକ ପିସ୍ତଲ, ଗ୍ରେନେଡ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅନ୍ୟାନ୍ୟ ସାମଗ୍ରୀ ରହିଛି ।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନଙ୍କର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରହିଥିବା ଓ ସେମାନଙ୍କଠାରୁ ସମ୍ଭାବ୍ୟ ଟାର୍ଗେଟ ନେଇ ନିର୍ଦେଶ ପାଉଥିବା ଜଣାପଡ଼ିଛି । ଗିରଫ ଆତଙ୍କୀ ଦିଲ୍ଲୀ, ମହାରାଷ୍ଟ୍ର ଓ ପଞ୍ଜାବର ବାସିନ୍ଦା ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କେତେଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି୧ ତେବେ ପୁଲିସ ବିଦେଶୀ ନାଗରିକଙ୍କ ପରିଚୟ ସମ୍ପର୍କରେ ଖୋଲତାଡ କରୁଛି । ତଦନ୍ତକାରୀମାନେ ଆତଙ୍କବାଦୀ ଓ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ମଧ୍ୟର କଥିତ ସମ୍ପର୍କର ମଧ୍ୟ ତଦନ୍ତ କରୁଛନ୍ତି ।
ସୁରକ୍ଷା ଏଜେନ୍ସି ଅନୁମାନ କରୁଛନ୍ତି ଯେ ଆତଙ୍କୀ ନେଟୱାର୍କ ଲଜିଷ୍ଟିକ, ପାଣ୍ଠି ଓ କାର୍ଯ୍ୟକର୍ତାଙ୍କ ଗତିବିଧି ପାଇଁ ଅପରାଧିକ ଚ୍ୟାନେଲ ବ୍ୟବହାର କରିଥାଇପାରେ । ପୁଲିସ ସ୍ୱତନ୍ତ୍ର ସେଲ ମଡ୍ୟୁଲ ସହିତ ଜଡ଼ିତ ଆର୍ଥିକ ଟ୍ରେଲ, ଯୋଗାଯୋଗ ରେକର୍ଡ ଓ ବ୍ୟାପକ ନେଟୱାର୍କ ଯାଂଚ କରୁଛି ।
ଏମାନଙ୍କର ଅନ୍ୟ ସହଯୋଗୀ ଅଛନ୍ତି କି ନାହିଁ ପୁଲିସ ତା’ର ତଦନ୍ତ କରୁଛି ଓ ଅଭିଯୁକ୍ତମାନେ ସମ୍ଭାବ୍ୟ ଟାର୍ଗେଟରେ ରେକ୍କି କରିଥିଲେ କି ନାହିଁ ସେ ନେଇ ତଦନ୍ତ କରାଯାଇଛି ।