ହାଇକୋର୍ଟଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ତିନି ମାସ ମଧ୍ୟରେ ରାୟ ଶୁଣାନ୍ତୁ
ସୁପ୍ରିମ କୋର୍ଟ ସମସ୍ତ ହାଇକୋର୍ଟଙ୍କୁ ଶୁକ୍ରବାର କହିଛନ୍ତି ଯେ ଶୁଣାଣି ଶେଷ ହେବା ପରେ ଆଦେଶ ସଂରକ୍ଷିତ ରଖିବାର ତିନିମାସ ମଧ୍ୟରେ ରାୟ ଶୁଣାଇବାକୁ ହେବ ।
କାରଣ ରାୟ ଶୁଣାଇବାରେ ବିଳମ୍ବ ହେଲେ ମକଦ୍ଦମାକାରୀଙ୍କର ଅପୂରଣୀୟ କ୍ଷତି ଘଟୁଛି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡ଼ିତ ମାମଲାରେ ଶୀଘ୍ର ନିଷ୍ପତି ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଜାମିନ ଆବେଦନ ଉପରେ ସେହି ଦିନ ନିଷ୍ପତି ନିଆଯିବା ଉଚିତ ।
ଯଦି ଆଦେଶ ସଂରକ୍ଷିତ ଅଛି, ତେବେ ସେଗୁଡ଼ିକ ପରଦିନ ସୁଦ୍ଧା ଶୁଣାଇବା ଓ ଅପଲୋଡ ହେବା ଆବଶ୍ୟକ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ଜାମିନ ପ୍ରଦାନ କିମ୍ବା ଦଣ୍ଡ ସ୍ଥଗିତ ରଖିବାର ନିର୍ଦେଶ ତୁରନ୍ତ ଜେଲ କର୍ତୃପକ୍ଷଙ୍କୁ ଜଣାଇବା ଆବଶ୍ୟକ ।
ବିଚାରାଧୀନ କଏଦୀ କିମ୍ବା ଦୋଷୀଙ୍କୁ ମୁକ୍ତ କରିବାର ଥିଲେ ସେହି ଦିନ କିମ୍ବା ପରଦିନ ମୁକ୍ତ କରାଯିବା ଉଚିତ୍ । ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଅସାଧାରଣ କ୍ଷମତା ବ୍ୟବହାର କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ଯଦି କେବଳ ରାୟର କାର୍ଯ୍ୟକାରୀ ଅଂଶ ଶୁଣାଯାଏ, ତେବେ ସମ୍ପୂର୍ଣ୍ଣ ରାୟ ୧୫ଦିନ ମଧ୍ୟରେ ଅପଲୋଡ କରାଯିବା ଆବଶ୍ୟକ ।
ଯଦି ଆଦେଶ ସଂରକ୍ଷଣର ଚାରି ମାସ ମଧ୍ୟରେ ରାୟ ନ ଦିଆଯାଏ, ତେବେ ପକ୍ଷମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରସ୍ଥ ହୋଇ ଅନ୍ୟ କୌଣସି ଖଣ୍ଡପୀଠକୁ ଏହି ମାମଲା ହସ୍ତାନ୍ତର କରିପାରିବେ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଯେତେବେଳେ ଖୋଲା କୋର୍ଟରେ ଯୁକ୍ତିଯୁକ୍ତ ରାୟ ଶୁଣାଯାଏ, ତାହା ୨୪ଘଂଟା ମଧ୍ୟରେ ୱେବ ସାଇଟରେ ଅପଲୋଡ ହେବା ଆବଶ୍ୟକ ।