ଆଉ ୩ରୁ ୪ ଦିନ ଜଳବନ୍ଦୀ ରହିବ ଉତର ଓଡ଼ିଶା !
ଓଡ଼ିଶାକୁ ସାରି ଦେଲାଣି ତୁହାକୁ ତୁହା ଲଗାଣ ବର୍ଷା ସମେତ ବନ୍ୟା । ଗୋଟିଏ ବନ୍ୟା ନ ଜାଉଣୁ ଆଉ ଗୋଟିଏ ଆସୁଛି । ଏଥିରେ ଲୋକେ ନିଜର ସର୍ବସ୍ୱ ହରାଇ ସାରିଲେଣି ।
ଏବେ ସୂଚନା ମିଳିଛି ଯେ, ଆହୁରି ୪ ଦିନ ଜଳବନ୍ଦୀ ରହିବ ଉତର ଓଡ଼ିଶା । ଉତରକୁ ବୁଡ଼ାଉଛି ସୁବର୍ଣ୍ଣରେଖା, ବୈତରଣୀ । ତେଣେ ବନ୍ୟାସ୍ଥିତିରେ ସୁଧାର ଆସୁଛି ବୋଲି କହୁଛି ଜଳ ସମ୍ପଦ ବିଭାଗ । ତେବେ ଏହି ଜଳବନ୍ଦୀ ସ୍ଥିତି ଆହୁରି ୩ରୁ ୪ ଦିିନ ଲାଗି ରହିବ ।
ପ୍ରାପ୍ତ ସୂଚନାନୁଯାୟୀ, ଏବେ ସୁବର୍ଣ୍ଣରେଖା ୧୦.୪ ମିଟରରେ ପ୍ରବାହିତ ହେଉଛି । ସନ୍ଧ୍ୟା ସୁଦ୍ଧା ଏହା ବିପଦସଙ୍କେତ ତଳକୁ ଖସିବ । ସେହିପରି ବୈତରଣୀର ଆଖୁଆପଦାରେ ୧୭.୬୧ ମିଟର ପାଣି ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ ସୂଚନା ଦେଇଛନ୍ତି । ବ୍ରାହ୍ମଣୀରେ ସତର୍କ ସଙ୍କେତ ତଳେ ରହିଛି ଜଳସ୍ତର ।
ତଥାପି ଆହୁରି ୪ ଦିନ ପର୍ଯ୍ୟନ୍ତ ଉତର ଓଡ଼ିଶା ଜଳବନ୍ଦୀ ହୋଇ ରହିବ ବୋଲି ଜଳ ସମ୍ପଦ ବିଭାଗ ସତର୍କ କରାଇଛି ।








