ଲୋକ ଭବନରେ ଓଡ଼ିଆ ନବବର୍ଷ ପାଳିତ
ଭାରତର ବିବିଧତା ହେଉଛି ଏହାର ଶକ୍ତି ଉତ୍ସ । ଗୋଟିଏ ରାଜ୍ୟରେ ଅନ୍ୟ ରାଜ୍ୟର ପର୍ବ ପାଳନ ଜାତୀୟ ଏକତାକୁ ମଜବୁତ କରିଥାଏ ।
ଭାରତର ବିବିଧତାର ପ୍ରକୃତ ସ୍ୱରୂପ ପ୍ରତିଫଳିତ ହୁଏ ବୋଲି ମଙ୍ଗଳବାର ଲୋକ ଭବନର ନ୍ୟୁ ଅଭିଷେକ ହଲରେ ହିମାଚଳ ପ୍ରଦେଶ ଗଠନ ଦିବସ ଓ ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି) ସହିତ ବିହୁ (ଆସାମ), ବିଶୁ (କେରଳ), ପୁଥଣଡ଼ୁ (ତାମିଲନାଡ଼ୁ), ପଏଲା ବୈଶାଖ (ପଶ୍ଚିମବଙ୍ଗ) ଏବଂ ବୈଶାଖୀ (ପଞ୍ଜାବ) ପାଳନ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ।
ମହା ବିଷୁବ ସଂକ୍ରାନ୍ତ ତଥା ଓଡ଼ିଆ ନବବର୍ଷ ପାଳନ ସହ ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଜନସାଧାରଣଙ୍କୁ ସେମାନଙ୍କ ଆଂଚଳିକ ପର୍ବପର୍ବାଣୀ ପାଳନ ଅବସରରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇଥିଲେ । ଏହି ସମାରୋହରେ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ ।
ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରସିଦ୍ଧ ସାହିତ୍ୟିକ ଓ ଗୀତିକାର ଦେବଦାସ ଛୋଟରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟପାଳ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ପାଳନ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ ।