ଚାରିଦିନ ବର୍ଷା ପୂର୍ବାଭାସ
ରାଜ୍ୟର ବିଭିନ୍ନ ଅଂଚଳରେ ତାପପ୍ରବାହ ଜାରି ରହିଥିବାବେଳେ କେତେକ ଜିଲାରେ କାଳବୈଶାଖୀ ଭଳି ଝଡ଼ବର୍ଷା ସୃଷ୍ଟି ଯୋଗୁଁ ସାଧାରଣ ଲୋକ ହଟହଟା ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି ।
ଏଭଳି ସ୍ଥଳେ ପାଣିପାଗ ବିଭାଗ ପକ୍ଷରୁ ପୁଣି ଚାରି ଦିନ ବର୍ଷା ପୂର୍ବାଭାସ ଦିଆଯାଛି । ପାଣିପାଗ ଦପ୍ତରର ବକ୍ତବ୍ୟ ଯେ ରାଜ୍ୟ ଉପରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବ ସୃଷ୍ଟି ହେଉଛି ।
କେଉଁଠି କେଉଁଠି ଝଡ଼ବର୍ଷା ହେଉଥିବାବେଳେ କେତେକ ସ୍ଥାନରେ ଆକାଶ କଳା ବାଦଲରେ ଘୋଟି ହୋଇ ରହୁଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ଆଜି କୁଆପଥର ବର୍ଷା ହୋଇଥିବାବେଳେ ଆଗାମୀ ୪ଦିନ ଏଭଳି ପ୍ରଭାବ ରାଜ୍ୟର ବିଭିନ୍ନ ଜିଲାରେ ଦେଖାଦେବାର ସମ୍ଭାବନା ରହିଛି ।
ଆସନ୍ତାକାଲି (ବୁଧବାର) କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଆଦି ଜିଲାରେ ଝଡ଼ବର୍ଷାର ପ୍ରଭାବ ଦେଖାଦେଇଛି । ଏଣୁ ଏହି ସମସ୍ତ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି । ଏଥି ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଦା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼ ଓ କେନ୍ଦୁଝର ଜିଲାକୁ ମଧ୍ୟ ହଳଦିଆ ସତର୍କତା (ୟେଲୋ ୱାର୍ଣ୍ଣିଂ) ଜାରି କରାଯାଇଛି ।
ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଉ ନାହିଁ । ୯ ଓ ୧୦ତାରିଖରେ ବି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ତାପମାତ୍ରାରେ ହ୍ରାସ ପାିଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୩ଡିଗ୍ରୀ ରେକର୍ଡ କରାଯାଇଛି ।