୭ ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷା
୪ ଜିଲାରେ ଗୁଳୁଗୁଳି, ୟେଲୋ ଆଲର୍ଟ ଜାରି
ଆଗାମୀ ଦୁଇଦିନ ରାଜ୍ୟର ୪ ଜିଲାରେ ପ୍ରବଳ ଗୁଳୁଗୁଳି ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୟେଲୋ ଆଲର୍ଟ ଜାରି ହୋଇଛି । ଅପରପକ୍ଷେ ଆଗାମୀ ୨୪ଘଂଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲାରେ ବର୍ଷା ଓ ପବନ ବହିବାର ସମ୍ଭାବନା ଦେଖାଦେଇଛି ।
କିଛି ସ୍ଥାନରେ ଜୋର ପବନ ମଧ୍ୟ ହୋଇପାରେ । ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଏକ ପକ୍ଷରେ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଅନ୍ୟପଟେ କାଳବୈଶାଖୀ ଭଳି ଝଡ଼ବର୍ଷା ସାଧାରଣଙ୍କୁ ଚିନ୍ତାରେ ପକାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଆଗାମୀ ତିନି ଦିନ ତାପମାତ୍ରାରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ ।
ତେବେ ପରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ତେବେ ଗୁଳୁଗୁଳି ଯୋଗୁଁ ସାଧାରଣ ଲୋକେ ଯେପରି ସମସ୍ୟାରେ ନ ପଡନ୍ତି ସେଥିପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଛି । କୁହାଯାଇଛି ଯେ ସାଧାରଣ ଲୋକଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ହେବ, ଫ୍ୟାନ କିମ୍ବା ଏସିରେ ରହିବାକୁ ହେବ ।
ଥଣ୍ଡା ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ସୁତା କପଡ଼ା ପିନ୍ଧିବା ଓ ମୁଣ୍ଡରେ ଗାମୁଛା କିମ୍ବା ଟୋପି ଓ ଆଖିରେ କଳା ଚଷମା ପିନ୍ଧିବା ଉଚିତ୍ ।
ସେହିପରି ପଶୁପକ୍ଷୀଙ୍କୁ ଏଭଳି ପରିସ୍ଥିତିରୁ ଯେପରି ରକ୍ଷା କରାଯାଇପାରେ, ସେଥିପାଇଁ ସେମାନଙ୍କ ପାଇଁ ଛାତ କିମ୍ବା ଗଛରେ ପାଣି ଓ ଖାଦ୍ୟ ଦେବା ଉଚିତ ହେବ ।
ସାଧାରଣ ଲୋକ ଯେପରି ରୌଦ୍ର୍ୟତାପରୁ କଷ୍ଟ ନ ପାଆନ୍ତି ସେଥିପାଇଁ ଦିନ ୧୨ଟା ପରେ ବାହାରକୁ ନ ବାହାରିଲେ ଉଚିତ ହେବ ।