ଶିକାରୀ ଗୁଳିରେ ଛାତ୍ର ମୃତ
କନ୍ଧମାଳ ଜିଲା ଟିକାବାଲି ଥାନା ଓ ଚକାପାଦ ବ୍ଲକ ଲାଇନପଡ଼ା ନିକଟ ବୁଡେଣି ଗ୍ରାମରେ ଗତକାଲି ରାତିରେ ଶିକାରୀର ଗୁଳିରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକଜଣକ ହେଲେ ମାଧବ କହଁରଙ୍କ ପୁଅ ବିଭୂତି କହଁର (୧୫) । ଶିକାର ପାଇଁ ଜଙ୍ଗଲକୁ ଶିକାରୀ ସାଙ୍ଗରେ ନେଇଥିଲା ।
ତେବେ ଭୁଲ୍ବଶତଃ ନେଇ ଯାଇଥିବା ବନ୍ଧୁକରୁ ଗୁଳି ଫୁଟିବା ଫଳରେ ବିଭୂତି ସେଠାରେ ଟଳି ପଡ଼ିଥିଲା । ବିଭୂତି ଖଜୁରୀପଡ଼ା ବ୍ଲକ ରଣପାଟୁଳି ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବାବେଳେ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇଥିଲା ।
ସୂଚନାନୁସାରେ ପ୍ରତାପ କହଁର (୨୮) ଓ ସୁମନ ବିନ୍ଧାଣୀ ଗତକାଲି ରାତି ୯ଟାରେ ମଣିଆଡାମି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର ପାଇଁ ବାହାରିଥିଲେ । ବିଭୂତିଙ୍କୁ ଡାକି ସାଙ୍ଗରେ ନେଇଥିଲେ । ପ୍ରତାପ ଗ୍ରାମର ବରୁଣ କହଁରଙ୍କଠାରୁ ଦେଶୀବନ୍ଧୁକ ଭଡ଼ାରେ ମାଗି ନେଇଥିବାବେଳେ ସୁମନ ନିଜର ଦେଶୀବନ୍ଧୁକ ଓ ଟାଙ୍ଗିଆ ଧରି ବାହାରିଥିଲେ ।
ରାତି ପ୍ରାୟ ସାଢ଼େ ୧୦ଟାରେ ଦୁଇଟି ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିଲା । କିନ୍ତୁ ପ୍ରତାପର ବନ୍ଧୁକରୁ ଫୁଟିଥିବା ଗୁଳି ବିଭୂତିଙ୍କ ଡାହାଣ ଆଖି ପାଖରେ ବାଜିବାଦ୍ୱାରା ବିଭୂତି ସେଠାରେ ଟଳି ପଡ଼ିଥିଲେ । ପ୍ରତାପ ଓ ସୁମନ ଗାଁକୁ ଫେରି ଆସିଥିଲେ । ପ୍ରତାପ ସଙ୍ଗେ ସଙ୍ଗେ ବରୁଣଙ୍କୁ ବନ୍ଧୁକ ଫେରାଇବା ସହ ଗୁଳି ଫୁଟି ବିଭୂତିଙ୍କ ମୃତ୍ୟୁ ହୋଇଥିବା କହି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ସେପଟେ ସୁମନ ନିଜ ଘରେ ଘଟଣା ବିଷୟରେ ମୃତକ ବିଭୂତିଙ୍କ ପରିବାରକୁ ଜଣାଇଥିଲା । ରାତାରାତି ପରିବାର ଲୋକେ ଜଙ୍ଗଲକୁ ଯାଇ ବିଭୂତିଙ୍କ ଶବକୁ ଠାବ କରିଥିଲେ ।
ଆଜି ସକାଳେ ବାପା ମାଧବ ଏ ନେଇ ଟିକାବାଲି ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଦୁଇଟି ବନ୍ଧୁକ ଓ ଟାଙ୍ଗିଆକୁ ଜବତ କରିଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ତାହା ନେଇ ପୁଲିସ ତଦନ୍ତ ଜାରି ରଖିଛି ।