୨୧ରେ ଆସିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୧ ତାରିଖରେ ରାଉରକେଲ ଆସିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଭାବେ ଏହା ହେବ ତାଙ୍କର ପ୍ରଥମ ରାଉରକେଲା ଆଗମନ । ସେ ଏଠାରେ ୫ଘଂଟା ରହିବାର କାର୍ଯ୍ୟକ୍ରମ ରହିଛି । ଏହି ରହଣି ମଧ୍ୟରେ ରାଷ୍ଟ୍ରପତି ୧୫୮କୋଟିର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବେ ।
କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସ୍ଥାନୀୟ ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସ୍ଥାନୀୟ ବିଜେପି ଜିଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ ସୂଚନା ଦେଇ କହିଛନ୍ତି ଯେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡ଼ାରେ ଅବତରଣ କରିବେ ।
ସେଠାରୁ ହେଲିକପ୍ଟର ଯୋଗେ ରାଉରକେଲା ଆସି ଦିନ ପ୍ରାୟ ୧୧ଟା ୧୦ମିନିଟ୍ରେ ପହଂଚି ଅପରାହ୍ନ ୪ଟାରେ ବିଦାୟ ନେବେ । ଏହି ୫ଘଂଟାର ରହଣି କାଳରେ ସେ ପାନପୋଷ ହକି ଛକ ପାଖରେ ପ୍ରାୟ ୪୮କୋଟି ଟଙ୍କା ବ୍ୟୟରେ ନିର୍ମିତ ସମନ୍ୱିତ ନିର୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ସେହି ପରିସରରେ ୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଅଛି । ଛେଣ୍ଡ କଲୋନୀ ବିଏସଏନଏଲ ଛକରେ ୨୭କୋଟି ଟଙ୍କାର ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ ।
କୋଏଲନଗରରେ ପ୍ରାୟ ୪୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଏଲ ନଦୀ କୂଳ ମନୋରଞ୍ଜନ ପାର୍କକୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିବେ । ସେକ୍ଟର-୧୩ ମେଳଣ ପଡ଼ିଆରେ ଏକ ସାର୍ବଜନୀନ ସଭାକୁ ସେ ସମ୍ବୋଧନ କରିବେ । ଏହି ସମାବେଶରେ ସୁନ୍ଦରଗଡ଼ ଜିଲାର ୧୦ହଜାରରୁ ଅଧିକ ସ୍କୁଲ କଲେଜ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୩୫ରୁ ଅଧିକ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବୀରବିତ୍ରପୁରର ପୂର୍ବତନ ବିଧାୟକ ଶଙ୍କର ଓରାମ, ବରିଷ୍ଠ ନେତ୍ରୀ ପ୍ରମିଳା ଦାସ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ବ୍ୟକ୍ତିଗତ ସହାୟିକା ଖୁସବୁ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।