ବଡ଼ଦାଣ୍ଡରେ ଅଟକିଲା ତିନି ରଥ
ଆସନ୍ତା କାଲି ହେବନି ଆଡ଼ପ ବିଜେ ନୀତି
ଚଳିତ ବର୍ଷ ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ଓ ଅଘଟଣ ଘଟିଚାଳିଛି ।
ପ୍ରଥମେ ଧାଡ଼ି ପହଣ୍ଡିବେଳେ କାଳିଆ ସାଆନ୍ତଙ୍କୁ ସେବକ ଓ ଦଇତାପତିମାନେ ତାଙ୍କୁ ଧାଡ଼ିପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ନେବାବେଳେ ସେବକଙ୍କ ଠେଲାପେଲାରେ ଜଗନ୍ନାଥ ମହାପ୍ରଭୁଙ୍କ ମସ୍ତକରୁ ଟାହିଆ ତଳକୁ ଖସିପଡ଼ିଥିଲା ।
ଫଳରେ ବିନା ଟାହିଆରେ ରଥକୁ ଉଠିଥିିଲେ କାଳିଆ ସାଆନ୍ତ ।
ପୁଣି ବଡ଼ଦାଣ୍ଡରେ ପ୍ରବଳ ଭିଧରେ ଅଣନିଃଶ୍ୱାସୀ ହୋଇ ଦୁଇ ଭକ୍ତଙ୍କ ଜୀବନ ଗଲା ।
ସେମାନେ ଅଣନିଃଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ ।
ଦୁହିଙ୍କୁ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ଅନିଲ ଦାସ ଓ ସୂର୍ଯ୍ୟପ୍ରକାଶ ରାଓଙ୍କୁ ମୃତ ଘୋଷଣା କରିଥିଲେ ।
ପୁନଶ୍ଚ ଚଳିତ ରଥଯାତ୍ରାରେ ଧାର୍ଯ୍ୟ ସମୟ ଠାରୁ ଢେର ବିଳମ୍ବରେ ଶ୍ରୀଜୀଉମାନଙ୍କ ଧାଡ଼ି ପହଣ୍ଡି କରାଯିବାରୁ ପରବର୍ତୀ ସମୟରେ ଅନ୍ୟାନ୍ୟ ନୀତିକାନ୍ତିରେ ମଧ୍ୟ ବିଳମ୍ବ ଘଟିଥିଲା ।
ଏପରିକି ଅପରାହ୍ଣ ୪ଟା ସମୟରେ ଗଜପତି ମହାରାଜ ନଅରରୁ ଆସି ତିନି ରଥରେ ଛେରା ପହଁରା କରିଥିଲେ । ଏଣୁ ରଥଟଣାରେ ମଧ୍ୟ ବିଳମ୍ବ ହୋଇଥିଲା ।
ଏଥିଯୋଗୁଁ ଚଳିତ ବର୍ଷ ୩ ରଥ ସନ୍ଧ୍ୟା ସୁଦ୍ଧା ମାଉସୀ ମା’ ମନ୍ଦିରରେ ପହଂଚି ପାରିନାହାନ୍ତି ।
ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ ମାର୍କେଟ ଛକରେ ଅଟକିଥିଲାବେଳେ ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ମରିଚିକୋଟ ଛକରେ ଓ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ମଧ୍ୟ ବଡ଼ଦାଣ୍ଡରେ ଅଟକି ରହିଛି ।
ଏଣୁ ଆସନ୍ତା କାଲି ସକାଳ ୯ଟା ସମୟରେ ପୁଣି ଥରେ ରଥଟଣା ହେବ ।
ହେଲେ ଆସନ୍ତା କାଲି ଆଡ଼ପ ବିଜେ ନୀତି ହେବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।