ସରକାରଙ୍କୁ ପରିବହନ ସଂଘର ଚିଠି : ତୈଳ ଦର ହ୍ରାସ ପାଇଁ ଦାବି
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ପେଟ୍ରୋଲ ଓ ଡିଜେଲ ଦର କମ କରିବାକୁ ସର୍ବଭାରତୀୟ ମୋଟର ଓ ସାମଗ୍ରୀ ପରିବହନ ସଂଘ (ଏଆଇଏମଜିଟିଏ) ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଅଶୋଧିତ ତେଳ ୯୦ ଡଲାର ତଳକୁ ହ୍ରାସ ପାଇଛି ।
ତେଣୁ ତେଲ ଦର କମ କରିବାର ସୁଯୋଗ ସୃଷ୍ଟି ହୋଇଛି । ତାହାକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ର ପାଇଁ ପେଟ୍ରୋଲ ଓ ଡିଜେଲ ଦର କମ କରାଯାଉ । କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ସଂଘ ଜଣାଇଛି ଯେ ତେଳ ଦର ଅଧିକ ରହିଥିବାରୁ ପରିବହନକାରୀମାନେ ଚାପରେ ରହିଛନ୍ତି । ସାରା ଦେଶରେ ପରିବହନ ମହଙ୍ଗା ହୋଇଛି ।
ତାହା ଉଭୟ ବ୍ୟବସାୟ ଓ ସାଧାରଣ ଗ୍ରାହକଙ୍କ ପାଇଁ ବିଭିନ୍ନ ଜିନିଷର ଦର ବଢ଼ାଇଛି । ତେଳ ଦର କମ କରାଗଲେ ତାହା ପରିବହନକାରୀଙ୍କ ପରିଚାଳନା ଖର୍ଚ କମାଇବ ଓ ଗ୍ରାହକଙ୍କୁ ଦରବୃଦ୍ଧିରୁ ଆବଶ୍ୟକ ଆଶ୍ୱସ୍ତି ପ୍ରଦାନ କରି ବୋଲି ସଂଘ ଜଣାଇଛି । ଚଳିତମାସ ୧୫ରୁ ଚାରି ଥରରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ପାଖାପାଖି ୮ଟଙ୍କା ବୃଦ୍ଧି କରିଛନ୍ତି । ଚଳିତବର୍ଷ ଫେବୃୟାରୀ ଶେଷରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଦେଇ ଠିକ ଭାବେ ଜାହାଜ ଚଳାଚଳ କରିପାରୁ ନାହିଁ ।
ସେଥିପାଇଁ ଅଶୋଧିତ ତେଳ ଦର ୧୨୦ ଡଲରକୁ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୯୬ଟଙ୍କା ସ୍ତରକୁ ଖସି ଯାଇଥିଲା । ଏହି ଦୁଇ କାରଣ ପାଇଁ ତେଳ ଆମଦାନୀ ମହଙ୍ଗା ହୋଇଥିଲା । ବଜାର ଦରଠାରୁ କମ ଦାମରେ ୭୬ ଦିନ ପର୍ଯ୍ୟନ୍ତ ତେଳ କମ୍ପାନୀଗୁଡ଼ିକ ତେଳ ବିକିଥିଲେ ।
ସେଥିପାଇଁ ସେମାନେ ଦୈନିକ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହୁଥିଲେ । ସେହି କ୍ଷତି ଅସହ୍ୟହେବା ପରେ ସରକାର ତେଲ କମ୍ପାନୀଗୁଡ଼ିକୁ ଦର ବଢ଼ାଇବା ଅନୁମତି ଦେଇଥିଲେ । କିନ୍ତୁ ଅନ୍ୟ ଏକ ମହଲର ଯୁକ୍ତି ହେଉଛି ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସରକାର ତେଲ ଦର ବଢ଼ାଉନଥିଲେ ।
ନିର୍ବାଚନ ଫଳ ବାହାରିବା ପରେ ଦର ବଢ଼ାଇବାକୁ କହିଥିଲେ । ଆଜି ତେଲ ସ୍ଥିତି ଉପରେ ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ, ଡିଜେଲ ଓ ଏଲପିଜି ରହିଛି । ଏଲପିଜି ଉତ୍ପାଦନ ଦୈନିକ ୫୨ହଜାର ଟନ ଭଳି ରେକର୍ଡ ସ୍ତରରେ ପହଂଚିଛି । ତେଲର ଗଚ୍ଛିତ ଭଣ୍ଡାରପାଇଁ ଯୋଜନା ପ୍ରସ୍ତୁତ କରିବାକୁ ତେଳ କମ୍ପାନୀଗୁଡ଼ିକୁ କୁହାଯାଇଛି । ଅତି କମରେ ୩୦ଦିନରେ ତେଳ ଗଚ୍ଛିତ ରଖିବାର ଯୋଜନା ରହିଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ।
କୌଣସି ଏଲପିଜି ବିତରକଙ୍କ ପାଖରେ ଗ୍ୟାସ ଶେଷ ହେବାର ଖବର ନାହିଁ । ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ବିକ୍ରି ସ୍ୱାଭାବିକ ଥିବା କହିଛନ୍ତି ।