ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ମନା
ସୋମବାର ମାଲେସିଆ ପ୍ରଶାସନ ଶିଶୁ ଅର୍ଥାତ ଛୋଟ ପିଲାଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି ।
ଜଣାପଡ଼ିଛି ଯେ ୧୬ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ୍ ମିଡିଆ ଆକାଉଂଟ ତିଆରି କରିପାରିବେ ନାହିଁ । ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ ଏବଂ ୟୁଟୁ୍ୟବ ସମେତ ସମସ୍ତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବା ପୂର୍ବରୁ ବୟସ ଯାଂଚ ଆବଶ୍ୟକ । ୧୬ବର୍ଷରୁ କମ ବୟସର ପିଲାମାନଙ୍କୁ ଆକାଉଂଟ ତିଆରି କରିବା ନିଷେଧ କରାଯାଇଛି ।
ଏହି ସରକାରୀ ନିୟମ ଉଲଙ୍ଘନ କରୁଥିବା କମ୍ପାନୀଗୁଡ଼ିକ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଏହି ନୂତନ ନିୟମ ଅନୁଯାୟୀ, ଯଦି ପିଲାମାନେ କୌଣସି ପ୍ରକାରରେ ଆକାଉଂଟ ତିଆରି କରିବାରେ ସଫଳ ହୁଅନ୍ତି, ତେବେ ସେମାନଙ୍କ ପିତାମାତାଙ୍କୁ ଦଣ୍ଡ ଦିଆଯିବ ନାହିଁ ।
୧୬ବର୍ଷୁ କମ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ସରକାରଙ୍କ ଲଔ୍ୟ ହେଉଛି ପିଲାମାନଙ୍କୁ କ୍ଷତିକାରକ ବିଷୟବସ୍ତୁ, ସାଇବର ଧମକ ଏବଂ ଅତ୍ୟଧିକ ଅନଲାଇନ ଖର୍ଚ ଅଭ୍ୟାସରୁ ରକ୍ଷା କରିବା । ସରକାର କହିଛନ୍ତି ଯେ ଆମେ ପିଲାମାନଙ୍କୁ ଇଂଟରନେଟ ଠାରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରୁନାହୁଁ ।
ବରଂ ସେମାନଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଛୁ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଏପରି ବୈଶିଷ୍ଟ ବିକଶିତ କରିବାକୁ ପଡ଼ିବ, ଯାହା ପିଲାମାନଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ରକ୍ଷା କରିବ । ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କୁ କିଛି ସମୟ ମଧ୍ୟ ଦିଆଯିବ । ସୋସିଆଲ ମିଡିଆରେ ଥିବା ବିଷୟବସ୍ତୁ ଯୋଗୁଁ ୧୬ବର୍ଷରୁ କମ ବୟସର ପିଲାମାନଙ୍କର ମାନସିକ ବିକାଶ ଅନେକ ଭାବେ ପ୍ରଭାବିତ ହୋଇଥାଏ ।
ଏପରି ପରିସ୍ଥିତିରେ ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୁରେଇ ରଖିବା ପାଇଁ ଏହି ନିଷ୍ପତି ନେଇଥିଲା । ତେଣୁ ଦେଶରେ ୧୦ ଡିସେମ୍ବର ୨୦୨୫ରୁ ୧୬ବର୍ଷରୁ କମ ବୟସର ପିଲାମାନଙ୍କଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଅଷ୍ଟ୍ରେଲିଆରେ ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟ, ଟିକଟକ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ବୟସର ପିଲାମାନଙ୍କର ସମସ୍ତ ଆକାଉଂଟ ବନ୍ଦ କରି ଦିଆଯାଇଥିଲା । ଏହା ବ୍ୟତୀତ ବ୍ରାଜିଲ ଏବଂ ଇଣ୍ଡୋନେସିଆରେ ମଧ୍ୟ ୧୬ବର୍ଷ ବୟସର ପିଲାମାନଙ୍କ ପାଇଁ ସମାନ କଠୋରତା ବଜାୟ ରଖାଯାଇଛି ।