ଭାରତ ଆସିବେ ଆମେରିକୀୟ ଟିମ
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବ ।
ଆଲୋଚନା ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଭାରତ ଆସିବେ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ଗତ ଏପ୍ରିଲରେ ଭାରତର ଏକ ପ୍ରତିନିଧି ଦଳ ଆମେରିକା ଗସ୍ତ କରି ବାଣିଜ୍ୟ ରାଜିନାମାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଆମେରିକା ଦଳ ଆସିଲେ ସେହି ଆଲୋଚନା ଆହୁରି ଆଗକୁ ବଢ଼ିବ । ଆମେରିକାର ବୈଦେଶିକ ସଚିବ ଆସନ୍ତା ମେ ୨୩ରେ ଭାରତ ଆସିବେ । ସେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଓ ଶକ୍ତି ସହଯୋଗିତା ସମ୍ପର୍କରେ ଆଲୋଚନା କରିବେ । ଏହା ହେଉଛି ରୁବିଓଙ୍କ ପ୍ରଥମ ଭାରତ ଗସ୍ତ । ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଂଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।
ଗତବର୍ଷ ସେ ନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିଲା । କିନ୍ତୁ ଗତବର୍ଷ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିଲେ । ରୁଷଠାରୁ ତେଲ କିଣୁଥିବାରୁ ଆଉ ୨୫ ପ୍ରତିଶତର ଜୋରିମାନା ଭାରତ ଉପରେ ଲଗାଇଥିଲେ ।
ଫଳରେ ଭାରତ ଉପରେ ଆମେରିକାର ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଭାରତକୁ ଚାପରେ ରଖି ସୁହାଇବା ଭଳି ବାଣିଜ୍ୟ ରାଜିନାମା ହାସଲ କରିବାକୁ ଆମେରିକା ଉଦ୍ୟମ କରୁଥିଲା, କିନ୍ତୁ ସେହି ଚାପ ଆଗରେ ଭାରତ ମୁଣ୍ଡ ନୁଆଇଁ ନଥିଲା । ଶେଷରେ ଟ୍ରମ୍ପ ନିଜ ଆଡ଼ୁ ପୁଣି କଥାବାର୍ତା ଆଗକୁ ବଢ଼ାଇବାର ହାତ ବଢ଼ାଇଥିଲା ।
ଚଳିତବର୍ଷ ଫେବୃୟାରୀରେ ଏକ ଅନ୍ତରୀଣ ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଥିଲା । ସେହି ରାଜିନାମା ହେବା ପୂର୍ବରୁ ଆମେରିକା ସୁପ୍ରିମ କୋର୍ଟ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିଥିଲେ ।
ଫଳରେ ବାଣିଜ୍ୟ ରାଜିନାମାର ସମ୍ପୂର୍ଣ୍ଣ କଥାବାର୍ତା ଏହାର ପ୍ରାସଙ୍ଗିକତା ହରାଇଥିଲା । ସମ୍ଭବତଃ ପୁଣି ଥରେ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି ।