ବନ୍ଧା ହେଲେ କୋଟିପତି ଏସଡିଓ
ଘରୁ ନଗଦ ୧୮ ଲକ୍ଷ ଜବତ
ରାଜ୍ୟ ସରକାର ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଜିରୋ ଟଲରେନ୍ସ ନୀତି ଅପଣାଇଛନ୍ତି । ଏହି କ୍ରମରେ ଗତ କିଛି ମାସ ହେବ ଦୁର୍ନୀତିଗ୍ରସ୍ତ ସରକାରୀବାବୁମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି ।
ଗତ କାଲି ୨୬ ତାରିଖ ଆୟ ବହିର୍ଭୂୂତ ସମ୍ପତି ଠୁଳ ଅଭିଯୋଗରେ ଭଞ୍ଜନଗରସ୍ଥିତ ଜଳ ସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ର ତଥା ଏସଡିଓ ଇଂ. ପଂଚୁ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା ।
ଗଞ୍ଜାମ ଜିଲାର ବ୍ରହ୍ମପୁର, ପୋଲସରା, ଭଞ୍ଜନଗର ଭଳି ଅଂଚଳରେ ଥିବା ତାଙ୍କ ଘର ଓ ସରକାରୀ ବାସଭବନରୁ ନଗଦ ୧୮ ଲକ୍ଷ ୯୦ ହଜାର ଟଙ୍କା ସମେତ ବିପୁଳ ସୁନା ଅଳଙ୍କାର, ଜେସିବି ମେସିନ, କଂକ୍ରିଟ ମେସିନ, ବହୁତଳ କୋଠା ଏବଂ ଏକାଧିକ ପ୍ଲଟ ଠାବ କରାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ୨୬ ତାରିଖରେ ଭିଜିଲାନ୍ସର ୩ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକାଧିକ ଦଳ ଭୋରରୁ ଚଢ଼ଉ ଆରମ୍ଭ କରିଥିଲେ ।
ପଂଚୁ ବେହେରାଙ୍କ ଭଂଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ବ୍ରହ୍ମପୁର ବସନ୍ତବିହାରସ୍ଥିତ ବାସଗୃହ, ପୋଲସରାସ୍ଥିତ ପୈତୃକ ଘର, ବ୍ରହ୍ମପୁର ବୀମାନଗରରେ ଥିବା ସମ୍ପର୍କୀୟଙ୍କ ଘର ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା ।
ଏହି ଚଢ଼ଉବେଳେ ଇଂ.ବେହେରାଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ଟଂକା ମିଳିଥିଲା । ସେହିପରି ବ୍ରହ୍ମପୁର ବସନ୍ତବିାହରସ୍ଥିତ ବାସଭବନରୁ ୧୫.୧୩ ଲକ୍ଷ ଟଂକା ଜବତ କରାଯାଇଥିବାବେଳେ ଭଂଜନଗର ସରକାରୀ ବାସଭବନରୁ ୩ ଲକ୍ଷ ୭୨ ହଜାର ଟଂକା ଜବତ ହୋଇଥିଲା ।
ଇଂ.ବେହେରାଙ୍କ ବସନ୍ତବିହାରରେ ଥିବା ବହୁତଳ କୋଠା ସହ ନିକଟବର୍ତୀ ଅଂଚଳରେ ୫ଟି ପ୍ଲଟ ରହିଛି । ଏହାସହ ୫୭ ଲକ୍ଷ ଟଂକାର ଏକ କଂକ୍ରିଟ ମିକ୍ସଚର ମେସିନ ଓ ୩୭ ଲକ୍ଷ ଟଂକାର ଗୋଟିଏ ଜେସିବି ମେସିନ ଠାବ ହୋଇଛି । ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।