ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ବୈଠକ
ପଶ୍ଚିମ ଏସିଆରେ ଘନିଭୂତ ହୋଇଥିବ ଯୁଦ୍ଧର ବାଦଲ ଏବଂ ତା ପାଇଁ ବିଶ୍ୱବଜାରରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ଭାରତର ଆଭ୍ୟନ୍ତରୀଣ ପ୍ରସ୍ତୁତି କ୍ଷେତ୍ରରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ପଦକ୍ଷେପ ଗ୍ରହଣ କରୁଥିବା ପରିଲକ୍ଷିତ ହୋଇଛି ।
ତେଣୁ ଆଗାମୀ କାଲି ଅର୍ଥାତ (ଶୁକ୍ରବାର) ସନ୍ଧ୍ୟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦୃଶ୍ୟସଂଚାରୀ କାର୍ଯ୍ୟକ୍ରମ ମଧ୍ୟରେ ଏକ ଉଚ୍ଚ ପର୍ଯ୍ୟାୟ ବୈଠକ ନିମନ୍ତେ ପ୍ରସ୍ତୁତି ନିଆଯାଇଛି । ତେବେ ଯେଉଁ ରାଜ୍ୟଗୁଡ଼ିକରେ ଆଗକୁ ନିର୍ବାଚନ ରହିଛି, ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି ।
ସମ୍ବାଦମାଧ୍ୟମ ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ ବୈଠକର ମୂଳ ଲକ୍ଷ୍ୟ ହେଉଛି ଯେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା । ଯାହାଦ୍ୱାରା ସଂକଟ ସମୟରେ ଟିମ୍ ଇଣ୍ଡିଆ ହୋଇ ତାର ମୁକାବିଲା କରାଯିବା ସମ୍ଭବ ହେବ ।
ଗତ ସୋବାର ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସତର୍କ କରିଥିଲେ ଯେ ଏହି ଭୂ-ରାଜନୈତିକ ସଂକଟ ଦୀର୍ଘସ୍ଥାୟୀ ହୋଇପାରେ । ତେଣୁ ଉପକୂଳୀୟ ନିରାପତା, ସାଇବର ସୁରକ୍ଷା ଭଳି ରକ୍ଷା ନିମିତ ରାଜ୍ୟଗୁଡ଼ିକ ସତର୍କ ରହିବାକୁ ହେବ ।
ତେବେ ଜାଳେଣି ନେଇ ଯେଉଁ ଗୁଜବ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଉଛି, ସେଥିପ୍ରତି ନଜର ନ ଦେବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କେତେକ ଅସାଧୁ ଗୋଷ୍ଠୀ କୃତ୍ରିମ ସଂକଟ ସୃଷ୍ଟି ହୋଇଛି ବୋଲି ପ୍ରଚାର କରୁଛନ୍ତି, ଯାହାଦ୍ୱାରା ସାଧାରଣ ଜନତା ଚିନ୍ତାରେ ପଡ଼ୁଛନ୍ତି ।
ତେବେ ଏଥିପ୍ରତି ଗୁରୁତ୍ୱ ନ ଦେବାକୁ ପରାମର୍ଶ ଦିଆଯାଇଛି । ଆହୁରି ଜଣାପଡ଼ିଛି ଯେ ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ରହିଛି, ଅର୍ଥାତ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳ କ୍ଷେତ୍ରରେ କ୍ୟାବିନେଟ୍ ସଚିବାଳୟରେ ସ୍ୱତନ୍ତ୍ର ଭାବେ ମୁଖ୍ୟ ସଚିବଙ୍କ ସହ ପରିସ୍ଥିତି ପର୍ଯ୍ୟାଲୋଚନା କରାଯିବ ।