ଆସାମ, କେରଳ, ପୁଡୁଚେରୀ ମତଦାନ ସମ୍ପନ୍ନ
ଆସାମ, କେରଳ ଓ ପୁଡ଼ୁଚେରୀରେ ଗୁରୁବାର କଠୋର ସୁରକ୍ଷାବଳୟ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସମ୍ପନ୍ନ ହୋଇଛି ।
ନିର୍ବାଚନ କମିସନ ତଥ୍ୟ ଅନୁସାରେ ପୁଡୁଚେରୀରେ ସର୍ବାଧିକ ୮୬.୯୨% ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୪.୪୨% ଏବଂ କେରଳରେ ୭୫.୦୧% ମତଦାନ ରେକର୍ଡ କରାଯାଇଛି । ଦୁଇ ରଜା୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା ।
ଆସାମରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟ ଗ୍ରହଣ ହୋଇଛି । ତେବେ ଆସାମରେ ରେକର୍ଡ ହୋଇଥିବା ମତଦାନ ୨୦୨୧ ନିର୍ବାଚନ ରେକର୍ଡକୁ ଅତିକ୍ରମ କରିଯାଇଛି । ଆସାମରେ ଡଲଗାଓଁରେ ସର୍ବାଧିକ ୯୪.୫୭% ମତଦାନ ରେକର୍ଡ କରାଯାିଥିବାବେଳେ ଆମ୍ରିରେ ସର୍ବନିମ୍ନ ୭୦.୪୦% ମତଦାନ ରେକର୍ଡ କରାଯାଇଛି । ଆସାମରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨୨ଜଣ ପ୍ରାର୍ଥୀ ଅଛନ୍ତି ।
୩୫ ଜିଲାରୁ ୩୧.୪୯୦ ଭୋଟିଂ ବୁଥରେ ଆଜି ଭୋଟ ଗ୍ରହଣ ଚାଲିଥିଲା । କେରଳରେ ୧୪୦ ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଛି ।
ସନ୍ଧ୍ୟା ୫ଟା ସୁଦ୍ଧା କେରଳରେ ୭୫.୦୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି, ଯାହାକି ୨୦୨୧ ମସିହାରେ ହୋଇଥିବା ମତଦାନ ୭୪,୦୬%ରୁ ସାମାନ୍ୟ ଅଧିକ । କେରଳରେ ୮୮୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ ହେବ । ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ୩୦ ଆସନ ପାଇଁ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହୋଇଛି । ପୁଡ଼ୁଚେରୀରେ ସର୍ବାଧିକ ୮୬.୯୨% ମତଦାନ ରେକର୍ଡ କରାଯାଇଛି ।
ଉପରୋକ୍ତ ୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଭୋଟ ଗ୍ରହଣ ସହ ଆଜି କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ମଧ୍ୟ ଉପନିର୍ବାଚନ ହୋଇଛି । ନାଗାଲାଣଡରେ କୋରିଡଙ୍ଗ ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଥିବାବେଳେ କର୍ଣ୍ଣାଟକର ବଗଲକୋଟ ଏବଂ ଦାବଣଗେରେ ଦକ୍ଷିଣରେ ଉପନିର୍ବାଚନ ହୋଇଛି ।
ଏଥିସହ ଉତର ତ୍ରିପୁରାର ଧର୍ମନଗରରେ ମଧ୍ୟ ଉପନିର୍ବାଚନ ହୋଇଛି । ତେବେ ଆଜି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ହିଂସା ଉପୁଜିଥିବା ଜଣାପଡ଼ିଛି ।