ଆମେରିକାରେ ବେଆଇନ ଭାବେ ବସବାସ ଅଭିଯୋଗ : ୩୦ ଭାରତୀୟ ଗିରଫ
ଆମେରିକାରେ ଅବୈଧ ଭାବେ ବସବାସ କରିବା ଅଭିଯୋଗରେ ୩୦ଜଣ ଭଳି ଭାରତୀୟ ନାଗରିକ ଗିରଫ ହୋଇଥିବା ଜଣାପଡ଼ିଛି ।
ଅଟକ ବ୍ୟକ୍ତିମାନେ ପ୍ରତ୍ୟେକ ଟ୍ରକ ଚାଳକ । ଧରା ପଡ଼ିଥିବା ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ଭାରତକୁ ଫେରସ୍ତ ଅଣାଯିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସଂପ୍ରତି ମାର୍କିନ ବର୍ଡର ପେଟ୍ରୋଲ ଏଜେଂଟମାନେ ‘ଅପରେସନ ଚେକମେଟ’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।
ସେହି ଅଭିଯାନରେ ଏହି ଭାରତୀୟ ଟ୍ରକ ଚାଳକଙ୍କୁ ଅଟକ କରାଯାଇଥିବା କୁହାଯାଇଛି । ମାର୍କିନ କଷ୍ଟମସ ଆଣ୍ଡ ବର୍ଡର ପ୍ରୋଟେକ୍ସନ ସୋମବାର ଘଟଣା ସମ୍ପର୍କରେ ନିଶ୍ଚିତ କରିଛି । ସଂପ୍ରତି ଆମେରିକା ଟ୍ରମ୍ପ ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।
ସେହି ଅଭିଯାନର ଏକ ଅଂଶ ଭାବେ ‘ଅପରେସନ ଚେକମେଟ’ ଚିହ୍ନିତ । ମାର୍କିନ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ଯେ ମେ ୧୧ତାରିଖରୁ ୧୫ତାରିଖ ମଧ୍ୟରେ ଆରିଜୋନାର ଇଉମା ସେକ୍ଟରରେ ଏକ ବିଶେଷ ଅଭିଯାନ ଚାଲିଥିଲା । ଅଭିଯାନରେ ମୋଟ ୫୨ଜଣଙ୍କୁ ଗିରପ କରାଯାଇଛି । ସେମାନଙ୍କ ମଧ୍ୟରେ ୩୬ଜଣ ବେଆଇନ ଭାବେ ଆମେରିକାରେ ବାଣିଜ୍ୟିକ ଟ୍ରକ ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି । ୩୬ଜଣଙ୍କ ମଧ୍ୟରେ ୩୦ଜଣ ଭାରତୀୟ ନାଗରିକ ଅଟନ୍ତି । ବାକି ୬ଜଣ ମେକ୍ସିକୋ, ଏଲ ସାଲଭାଦର ଏବଂ ରୁଷିଆର ବାସିନ୍ଦା ।
ଗିରଫଙ୍କ ନିକଟରୁ କାଲିଫଣ୍ଣିଆ, ନିଉୟର୍କ, ୱାଶିଂଟନ ଓ ଭର୍ଜିନିଆର ବାଣିଜ୍ୟିକ ଡ୍ରାଇଭିଂ ଲାଇସେନ୍ସ ଉଦ୍ଧାର ହୋଇଛି ।
ପୁଣି ଅନେକଙ୍କ ନିକଟରେ କୌଣସି ବୈଧ ଲାଇସେନ୍ସ ନଥିଲା ବୋଲି ମାର୍କିନ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି । ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ ଗିରଫ ବ୍ୟକ୍ତିଙ୍କ ନିକଟରେ ବାଇଡେନ ପ୍ରଶାସନର ସମୟରେ ମିଳିଥିବା କାର୍ଯ୍ୟର ଅନୁମତିପତ୍ର ଥିଲା । କିନ୍ତୁ ସେହି ନଥିର ମିଆଦ ଶେଷ ହୋଇଯାଇଛି । ଯାହାଦ୍ୱାରା ସେଗୁଡ଼ିକ ବୈଧ ନଥିଲା ।
ଗିରଫ ୫୨ଜଣଙ୍କୁ ସେ ଦେଶର କେନ୍ଦ୍ରୀୟ ଆଇନ ଅନୁସାରେ ଆମେରିକାରୁ ବାହାର କରି ଦିଆଯିବ । ଇତି ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି ।