ବନ୍ୟାରେ ଧୋଇଗଲା ପୋଲ, ଲୋକେ ଜଳବନ୍ଦୀ
ଚଳିତ ବର୍ଷର ପ୍ରଥମ ବନ୍ୟାରେ ଭୀଷଣ କ୍ଷୟକ୍ଷତି ଘଟିଛି । କେଉଁଠାରେ ସମଗ୍ର ଗାଁ ପାଣି ଘେରରେ ରହିଛି ତ ଆଉ କେଉଁଠି ଜମିଗୁଡ଼ିକ ଉପରେ ବନ୍ୟାପାଣି ଠିଆ ହୋଇଛି ।
ଏହି ବନ୍ୟାରେ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ଠାରେ ଥିବା ଏକ ବ୍ରିଜ ଧୋଇ ହୋଇଯାଇଛି । ସେହିପରି ନୂଆପଡ଼ା ଜିଲାରେ ସଦର ବ୍ଲକ ପାୱାରତୋଲା ସେତୁର ଆପ୍ରୋଚ ରୋଡ ବନ୍ୟାରେ ଧୋଇ ହୋଇଯିବାରୁ ୩ ପଂଚାୟତର ଏକାଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଖବରପାଇ ଓଡ୍ରାଫ ଟିମ ସେଠାରେ ପହଂଚି ନିଜ ଜୀବନକୁ ବାଜି ଲଗାଇ ଲୋକ ଓ ଗୃହପାଳିତ ପଶୁଙ୍କୁ ବନ୍ୟାପାଣିରୁ ଉଦ୍ଧାର କରିଛନ୍ତି ।
ସେହିଭଳି ବାଙ୍କୀ ଅଂଚଳର ସୁବର୍ଣ୍ଣପୁର-ତିଗିରିଆ ହୁଳୁହୁଳା ପୋଲ ଉପରେ ବନ୍ୟାପାଣି ଚାଲୁଛି । ଫଳରେ ଯାତାୟାତ ଠପ୍ ହୋଇଯାଇଛି ।
ବାଙ୍କୀର ୨ଟି ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରଣ ନଦୀରୁ ପାଣି ଆସିବାରୁ ଶୁଖୁଆଖଳା ବିଚ୍ଛିନ୍ନ ହୋଇଯାଇଛି ।
ଅନୁରୂପ ଭାବେ ସମ୍ବଲପୁରରୁ ବଡ଼ମାଳ ଚେମଠି ନାଳ ପୋଲ ବନ୍ୟା ଯୋଗୁଁ ଭାଙ୍ଗିଯାଇଛି । ଫଳରେ ରେଢ଼ାଖୋଲରେ ବନ୍ୟା ସଙ୍କଟକ ଉପୁଜିଛି । ସମ୍ବଲପୁର ସମ୍ବଲପୁର ଭାୟା ବଡ଼ମାଳ ରାସ୍ତା ସହ ବାହ୍ୟ ଜଗତର ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ଏଥିଯୋଗୁଁ ୫୦ ଗାଁ ପାଣି ଭିତରେ ଫସି ରହିଛି ।








