ଇରାନ, ବାହାରିନ୍ ଡିସାଲିନାଇଜେସନ କାରଖାନା ଉପରେ ଆକ୍ରମଣ
ପାନୀୟ ଜଳରୁ ବଂଚିତ ହେବେ ୧୫କୋଟି
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ ଓ ବାହାରିନରେ ଥିବା ଡିସାଲିନାଇଜେସନ (ସମୁଦ୍ରରୁ ଲୁଣିଆ ପାଣିକୁ ମଧୁର ପାଣିରେ ପରଣିତ କରିବା) କାରଖାନା ଉପରେ ଆକ୍ରମଣ କରାଯାଇଥିବାରୁ ବର୍ତମାନ ପଶ୍ଚିମ ଏସିଆ ଏବଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ବାସ କରୁଥିବା ପ୍ରାୟ ୧୫କୋଟି ଲୋକ ପାନୀୟ ଜଳ ପାଇବାରୁ ବଂଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଆମେରିକା ପକ୍ଷରୁ ପ୍ରଥମେ ଇରାନର କ୍ୱେଶମ ପ୍ରଦେଶରେ ଥିବା ଏଭଳି ଏକ କାରଖାନାକୁ ବୋମାମାଡ଼ ଜରିଆରେ ଧ୍ୱଂସ କରାଯାଇଥିଲା । ରବିବାର ଇରାନ ପ୍ରତିଶୋଧ ନେବାକୁ ବାହାରିନରେ ଥିବା ଏକ ଡିସାଲିନାଇଜେସନ କାରଖାନାକୁ କ୍ଷତିଗ୍ରସ୍ତ କରିଛି । ଏହି ପରିପ୍ରେକ୍ଷୀରେ ଅଧିକାଂଶ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଡିସାଲିନାଇଜେନ କାରଖାନା ସ୍ଥାପନ କରିଛନ୍ତି ।
ଏହା ଜରିଆରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ପରିବର୍ତନ କରାଯାଇଥାଏ । ପାରସ୍ୟ ଉପସାଗର ଏବଂ ଲୋହିତ ସାଗର ନିକଟବର୍ତୀ ଅଂଚଳରେ ଏଭଳି ଅଧିକାଂଶ କାରଖାନା ସ୍ଥାପନ କରାଯାଇଛି । ଏହି ବ୍ୟବସ୍ଥା ଯୋଗୁଁ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ ଏବଂ ବାହାରିନ ଭଳି ଦେଶର ୫୦ ପ୍ରତିଶତ ନାଗରିକ ପାନୀୟ ଜଳ ପାଇପାରୁଛନ୍ତି । ଏହି ପ୍ରସଙ୍ଗରେ ଇରାନ କିନ୍ତୁ ପଛରେ ପଡ଼ିଛି ।