ଯୁଦ୍ଧରେ ତୁର୍କୀର ଲମ୍ଫ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ଭୟାବହ ଯୁଦ୍ଧରେ ଏବେ ତୁର୍କୀ ଲମ୍ଫ ମାରିଛି । ଯୁଦ୍ଧର ୧୦ମ ଦିନରେ ଇରାନ ପକ୍ଷରୁ ତୁର୍କୀ ଆଡ଼କୁ ମାଡ଼ କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ତୁର୍କୀର ଏୟାର ଡିଫେନ୍ସ ସିଷ୍ଟମ ଆକାଶମାର୍ଗରେ ମାରି ଧ୍ୱଂସ କରିଦେଇଛି ।
ପୂର୍ବ ଭୂମଧ୍ୟ ସାଗରରେ ଇରାନର କ୍ଷେପଣାସ୍ତ୍ରକୁ ମାରି ଖସାଇଛି ତୁର୍କୀ । ଯୁଦ୍ଧ ପରିସ୍ଥିତିକୁ ଦେଖି ତୁର୍କୀ ୬ଟି ଏଫ୍-୧୬ ଲଢ଼ୁଆ ବିମାନ ମୁତୟନ କରିଛି । ନିଜର ଦେଶବାସୀଙ୍କ ସୁରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବ ବୋଲି ଇରାନକୁ ତୁର୍କୀ ଚେତାବନୀ ଦେଇଛି ।
ସୂଚନାଥାଉ କି, ଅପରେସନ ସିନ୍ଦୁରବେଳେ ଭାରତ ବିରୋଧରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ତୁର୍କୀ ଚର୍ଚ୍ଚାକୁ ଆସିଥିଲା ଏବଂ ଭାରତ ମଧ୍ୟ ତୁର୍କୀ ବିରୋଧରେ କୂଟନୈତିକ ବିରୋଧ କରିଥିଲା ।
ତେଣେ ଇରାନର ଆକାଶରେ ଘନ କଳା ଧୂଆଁ ଦେଖିବାକୁ ମିଳିଥିବାବେଳେ ଏଥିରେ ଆଖିରେ ଭୀଷଣ ଜଳାପୋଡ଼ା ହେଉଛି । ଇରାନର ୩୦ଟି ତୈଳକୂପ ଉପରେ ଇସ୍ରାଏଲର ବୋମାମାଡ଼ ଯୋଗୁଁ ସେଗୁଡ଼ିକ ଜଳିବାରୁ ଏବେ ଆକାଶରେ ବିଷାକ୍ତ କଳା ଧୂଆଁ ଜମି ରହିଛି ଏବଂ ଆକାଶରୁ ତେଲିଆ ଏସିଡ୍ ବର୍ଷା ହେଉଛି । ଫଳରେ ଲୋକେ ମାସ୍କ ପିନ୍ଧୁଛନ୍ତି ।
ତେଣେ ଲେବାନନରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଆକାଶରେ ଧଳା ଫସଫରସ ଜମି ରହିଛି ଏବଂ ଏଥିଯୋଗୁଁ ଲୋକେ ଅଣନିଃଶ୍ୱାସୀ ହେବାରେ ଲାଗିଛନ୍ତି । ଯୁଦ୍ଧରେ ନିଷିଧ ଏହି ଧଳା ଫସଫରସ ପ୍ରାୟ ୮୦୦ ଡିଗ୍ର ଉତାପ ଉତ୍ପନ୍ନ କରି ହାଡ଼ ମାଂସକୁ ତରଳାଇ ଦେଇଥାଏ ।