ହର୍ମୁଜ ପ୍ରଭାବ ସଂକଟ ସୃଷ୍ଟି କରିବ : ଜାତିସଂଘ
ଜାତିସଂଘର ଆଶଙ୍କା
ବୁଧବାର ହର୍ମୁଜରେ ଭାରତୀୟ ନାଗରିକମାନେ ମର୍ଚାଂଟ ଜାହାଜରେ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ ଦୁଇ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜାସିୱାଲ ସୂଚନା ଦେଇଛନ୍ତି । ତେବେ ବୁଧବାର ଘଟଣାକୁ ନେଇ ଯଦି ଦୀର୍ଘଦିନ ଧରି ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ରହେ ତେବେ ଏହା ଗୁରୁତର ଭାବେ ଅର୍ଥନୈତିକ ସଂକଟ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି ।
ଖାଦ୍ୟଦର ବୃଦ୍ଧି ପାଇବା ସହ ଜୀବନ ଧରଣର ମାନ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇପାରେ । ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ପରିପ୍ରେକ୍ଷୀରେ ଏଭଳି ଆଶଙ୍କା ଜାତିସଂଘ ପ୍ରକଟ କରିଛି । ଜାତିସଂଘର ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ଅଙ୍କଟାଡ) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ ପାରସ୍ୟ ଉପସାଗର ଓ ଗଲ୍ଫ ଅଫ୍ ଓମାନ ମଧ୍ୟରେ ଥିବା ହର୍ମୁଜ ପ୍ରଣାଳୀ ଆନ୍ତର୍ଜାତିକ ସ୍ତରରେ ପଣ୍ୟବାହୀ ଜାହାଜ ଚଳାଚଳରେ ଏକ ପ୍ରମୁଖ ଜଳପଥ । ଜଳପଥରେ ହେଉଥିବା ତୈଳ ପରିବହନର ଅର୍ଦ୍ଧାଧିକ ପରିବହନ ଏହି ପ୍ରଣାଳୀ ଦେଇ ହୋଇଥାଏ ।
୨୦୨୪ରେ ଏହି ଜଳପଥ ଦେଇ ଦୈନିକ ୨୦ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପରିବହନ ହୋଇଛି । ଏହା ବ୍ୟତୀତ ସାର ଓ ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) ପରିବହନର ଏହା ଏକ ମୁଖ୍ୟ ମାଧ୍ୟମ । ତେଣୁ ଏହି ଜଳପଥ ଅଧିକ ଦିନ ଧରି ବନ୍ଦ ରହିବା ଫଳରେ ଅନେକେ ଦେଶର ଅର୍ଥ ବ୍ୟବସ୍ଥା ଦୋହଲି ଯିବାର ସମ୍ଭାବନା ରହିଛି । ହର୍ମୁଜ ପ୍ରଣାଳୀ ଯଦି ଅଧିକ ଦିନ ବନ୍ଦ ରହେ, ତେବେ ଏଥିରେ ବିସ୍ତାରିତ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।
ସାମୁଦ୍ରିକ ପରିବହନଠୁୁ ଆରମ୍ଭ କରି ତୈଳ, ଖାଦ୍ୟ, ଭିତିଭୂମି, ସାର ଶକ୍ତି ଉତ୍ପାଦନ ଆଦି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ବିଶେଷକରି ରାଷ୍ଟ୍ରଗୁଡ଼ିକରେ ଏହି ପ୍ରତିକୂଳ ପ୍ରଭାବ ଅଧିକ ଅନୁଭୂତ ହେବ । ତୈଳ, ସାର ଓ ଖାଦ୍ୟ ଆମଦାନୀ କରୁଥିବା ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ଭୁଶୁଡ଼ି ଯିବାର ସମ୍ଭାବନା ଅଧିକ ।
ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଦର ବଢ଼ିଲେ ଖାଦ୍ୟ ଦର ବହୁଗୁଣ ବଢ଼ିଯିବ ବୋଲି ଅଙ୍କଟାଡ କହିିଛି, ଯାହାକି ସାଧାରଣ ଜୀବନଯାପନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ସୂଚନାଯୋଗ୍ୟ ଯେ ଫେବୃଆରୀ ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ ପରେ ପ୍ରତିବାଦରେ ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ କରି ଦେଇଥିଲା । ସେହି ଦିନଠାରୁ ଏହି ବାଟ ଦେଇ ଅଶୋଧିତ ତୈଳ ପରିବହନ ୯୭ପ୍ରତିଶତ ହ୍ରାସ ପାଇଛି ।
ଯୁଦ୍ଧ ଯେତେଦିନ ଜାରି ରହିବ, ଏହି ଜଳପଥକୁ ସେତେଦିନ ପର୍ଯ୍ୟନ୍ତ ଅବରୋଧ କରି ରଖିବ ବୋଲି ଜିଦ୍ରେ ଅଟଳ ରହିଛି, ଫଳରେ ଆଗକୁ ଏହା ଆନ୍ତର୍ଜାତିକ ସ୍ତରରେ ଓ ବିଶେଷ କରି ଏସୀୟ ଦେଶଗୁଡ଼ିକୁ ତୈଳ ପରିବହନରେ ସଂକଟକୁ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।