ଯୁଦ୍ଧରେ ଆମେ ଜିତିଛୁ : ଟ୍ରମ୍ପ
ଅପରେସନ ଏପିକ ଫ୍ୟୁରିରେ ୫୮ଟି ଇରାନୀ ଜାହାଜ ଧ୍ୱଂସ
ପଶ୍ଚିମ ଏସିଆରେ ଚାଲିଥିବା ଉତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ମନ୍ତବ୍ୟ ଦେଇ ବିଶ୍ୱକୁ ଚକିତ କରିଛନ୍ତି । କେଣଟୁକିର ହେବ୍ରନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ଇରାନ୍ ଯୁଦ୍ଧରେ ତାଙ୍କର ବିଜୟକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।
ସେ ଉତ୍ସାହ ଭରା କଣ୍ଠରେ କହିଛନ୍ତି ଯେ ଅପରେସନ ଆରମ୍ଭ ହେବାର ପ୍ରଥମ ଘଂଟା ମଧ୍ୟରେ ଆମେରିକୀୟ ସେନା ସବୁକିଛି ସମାସ୍ତ କରିସାରିଛି ।ସେ ମଂଚ ଉପରେ ନାଚି ନିଜର ଖୁସି ପ୍ରକାଶ କରିଛନ୍ତି ।
ଆମେ ଜିତିଛୁ, କିନ୍ତୁ ଏତେ ଶୀଘ୍ର ବିଜୟ ଘୋଷଣା କରିବାକୁ ଭଲ ଲାଗୁନାହିଁ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପ ଆହୁରି କହିଛନ୍ତି ଯେ ସାମରିକ ଅଭିଯାନର ନାମ ଅପରେସନ୍ ଏପିକ ଫ୍ୟୁରି ରଖାଯାଇଥିଲା । ସେ ମଜାଳିଆ ଭାବେ ରାଲିରେ ଜମା ହୋଇଥିବା ଭିଡ଼କୁ ପଚାରିଛନ୍ତି ଯେ ସେମାନେ ଏହି ନାମକୁ ଚମକ୍ରାର ଏବଂ ପ୍ରଭାବଶାଳୀ ଲାଗିଲା କି ନାହିଁ ?
ଟ୍ରମ୍ପଙ୍କ ଅନୁସାରେ, ଆମେରିକାୀୟ ସେନା ପ୍ରଭାବଶାଳୀ ଭାବେ ଇରାନ ସାମରିକ ଭିତିଭୂମିକୁ ଧ୍ୱଂସ କରି ଦେଇଛି । ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ମିଶନ ସମ୍ପୂର୍ଣ୍ଣ ଭାବେ ସମାପ୍ତ ନ ହେବା ପର୍ଯ୍ୟନ୍ତ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବେ ନାହିଁ ।
ଇରାନ ଗତ ୪୭ବର୍ଷ ଧରି ଆମ ଲୋକଙ୍କୁ ହତ୍ୟା କରି ଆସୁଛି ଏବଂ ଏହାକୁ ବନ୍ଦ କରିବା ଜରୁରୀ ଥିଲା । ଟ୍ରମ୍ପ ତାଙ୍କ ସେନାର ସାହସିକତାକୁ ପ୍ରଶଂସା କରି ଇରାନ ନୌସେନାର ପ୍ରବଳ କ୍ଷତି ବିଷୟରେ ବିସ୍ତୁତ ଭାବେ ବର୍ଣ୍ଣନା କରିଛନ୍ତି ।
ସେ ଦାବି କରିଛନ୍ତି ଯେ ଆମେରିକା ଆକ୍ରମଣରେ ୫୮ଟି ଇରାନୀ ନୌସେନା ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ତାଙ୍କ ଅନୁସାରେ, ଇରାନର ସାମରିକ କ୍ଷମତା ଯୁଦ୍ଧରେ ବଡ଼ ଏବଂ ସବୁଠାରୁ ବିନାଶକାରୀ ଆଘାତ ପାଇଛି ।
ଆମ ସୈନ୍ୟବାହିନୀ ଯୁଦ୍ଧର ପ୍ରଥମ ଦୁଇ ଦିନ ମଧ୍ୟରେ ୫୪ଟି ଜାହାଜକୁ ନଷ୍ଟ କରି ଦେଇଥିଲେ । ଏବେ ଇରାନ ପରେ ଟାର୍ଗେଟ କରି ଆକ୍ରମଣ କରିବା ଭଳି ଆଉ କିଛି ନାହିଁ ବୋଲି ଟ୍ରମ୍ପ ଉତ୍ସାହିତ ହୋଇ ନାଚିନାଚି କହିଛନ୍ତି ।