ହର୍ମୁଜରେ ଅଟକିଛି ଭାରତୀୟ ତୈଳ ଟ୍ୟାଙ୍କର
୩୬ ଲକ୍ଷ ଘରୋଇ ଗ୍ୟାସ ସିଲିଣ୍ଡର ଭର୍ତି ହୋଇପାରିବ !
ଗତ ଫେବୃଆରୀ ୨୮ରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା । ସେବେଠାରୁ ପାରସ୍ୟ ଉପସାଗରସ୍ଥିତ ହର୍ମୁଜ ପ୍ରଣାଳୀରେ ଭାରତର ଏକ ଏଲ୍ପିଜି ବୋଝେଇ ତୈଳ ଟ୍ୟାଙ୍କର ଅଟକି ରହିଛି । ଉକ୍ତ ଟ୍ୟାଙ୍କରଟି ଗତ ମାସରେ କୁଏତର ଅଲ-ଅହମଦି ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା ।
ମାର୍ଚ ୧୧ ସୁଦ୍ଧା ଟ୍ୟାଙ୍କରଟି ଗୁଜରାଟର କାଣ୍ଡଲା ବନ୍ଦରରେ ପହଂଚିଥାନ୍ତା; ମାତ୍ର ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଥିବାରୁ ଏହା ଆଉ ଆଗେଇ ପାରୁନାହିଁ । ଫଳରେ ଏହା ବର୍ତମାନ ସଂଯୁକ୍ତ ଆରବ ଏମିରେଟସର ମୀନା ସକର ବନ୍ଦର ନିକଟରେ ଲଂଗର ପକାଇଛି ।
ବର୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଯେ କୌଣସି ମୁହୂର୍ତରେ ଆକ୍ରମଣକୁ ନେଇ ଏହି ଟ୍ୟାଙ୍କରର କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କ୍ୟାପଟେନ ବୀରେନ୍ଦ୍ର ବିଶ୍ୱକର୍ମା କହିଛନ୍ତି ।
ଉକ୍ତ ଟ୍ୟାଙ୍କରରେ ଗ୍ୟାସ ବୋଝେଇ ହୋଇଛି, ସେଥିରୁ ୩୬ ଲକ୍ଷ ଘରୋଇ ଗ୍ୟାସ ସିଲିଣ୍ଡର ଭର୍ତି ହୋଇପାରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଜାହାଜକୁ ଛାଡ଼ିବା ପାଇଁ ଇରାନ ସହିତ ଭାରତ ସରକାର କଥାବାର୍ତା କରିବାକୁ କ୍ୟାପଟେନ ବୀରେନ୍ଦ୍ର ଅନୁରୋଧ କରିଛନ୍ତି ।