ଦମ ଦେଖାଇଲା ଉତର କୋରିଆ
୧୦ ବାଲାଷ୍ଟିକ ମିସାଇଲ ପରୀକ୍ଷଣ
ବର୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ବିଶ୍ୱବାସୀଙ୍କ ନଜର ଏହାର ପରିଣାମ ଉପରେ । ଏହାରି ଭିତରେ ନିଜର ଦମ ଦେଖାଇଛି ଉତର କୋରିଆ ।
ଉତର କୋରିଆ ଗତ ଶନିବାର ସମୁଦ୍ରରେ ୧୦ଟି ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ଆମେରିକୀୟ ସେନା, ଦକ୍ଷିଣ କୋରିଆର ମିଳିତ ସୈନ୍ୟ ଅଭ୍ୟାସ ସମୟରେ ଉତର କୋରିଆ ଏହି ଶକ୍ତି ପ୍ରଦର୍ଶନ କରିଛି । ଉତର କୋରିଆର ମିସାଇଲ ପରୀକ୍ଷଣ ନେଇ ଜାପାନ ମଧ୍ୟ ସୂଚନା ଦେଇଛି ।
ଦକ୍ଷିଣ କୋରିଆର ସ୍ଥଳସେନା ଉପମୁଖ୍ୟଙ୍କ ସୂଚନାନୁଯାୟୀ, ଉତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟରେ ଏକ ଅଂଚଳରେ ମିସାଇଲ ମାଡ଼ ହୋଇଥିଲା । ସେହିପରି ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ମିସାଇଲ ମାଡ଼ ନେଇ ସୂଚନା ଦେଇଛି ।
ତେବେ ଆମ ସେନା ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ବୋଲି ଦକ୍ଷିଣ କୋରିଆ କହିଛି ।
ତେଣେ ଆମେରିକା ଓ ଜାପାନକୁ ମଧ୍ୟ ଉତର କୋରିଆର ବାଲାଷ୍ଟିକ ମିସାଇଲ ମାଡ଼ ସମ୍ପର୍କରେ ଅବଗତ କରାଯାଇଛି । ଆମେରିକା ଓ ଦକ୍ଷିଣ କୋରିଆର ସୈନ୍ୟ ଅଭ୍ୟାସକୁ ଉତର କୋରିଆ ନିଜ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ବୋଲି କହି ଏଭଳି ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷରେ ଉତର କୋରିଆ ଅନେକ ଥର ମିସାଇଲ ଲଂଚ କରିଛି । ପୂର୍ବରୁ ଉତର କୋରିଆ ଜାନୁଆରୀ ୨୭ରେ ପୂର୍ବ ସାଗର ଦିଗରେ କିଛି ବାଲାଷ୍ଟିକ ମିସାଇଲ ଛାଡ଼ିଥିଲା ।