ଇସ୍ରାଏଲ ଉପରେ ଇରାନର ଆକ୍ରମଣ, ୧୨ ଆହତ
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ରବିବାର ଷୋଡ଼ଶ ଦିବସରେ ପହଂଚିଛି । ରବିବାର ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଲର ୮ଜଣ ଆହତ ହୋଇଥିଲେ । ଇସ୍ରାଏଲ କର୍ତୃପକ୍ଷଙ୍କ କହିବା ଅନୁଯାୟୀ ଇରାନ କ୍ଷେପଣାସ୍ତ୍ର ମାଡ଼ରେ ଡେଲଆଭିଭ୍ ଅଂଚଳରେ ଏକ ସଡ଼କ ନଷ୍ଟ ହୋଇଛି ।
ଇରାନ କ୍ଲଷ୍ଟର ମୁନିସନ ବା ଗୋଛା ବୋମା ବହନ କରୁଥିବା ମିସାଇଲ୍ ବ୍ୟବହାର କରିଛି । ତେଲଆଭିଭ ଅଂଚଳର ଏକ ମୁଖ୍ୟ ରାସ୍ତା ଉପରେ ଏହି ମିସାଇଲ ପଡ଼ିଥିବାବେଳେ ଅନେକ ସ୍ଥାନରେ ଛୋଟ ବୋମା ଏବଂ ମିସାଇଲର ଧାତବ ଖଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଜରୁରୀକାଳୀନ ସେବା ସଂସ୍ଥା ମ୍ୟାଗେନ ଡେଭିଡ ଆଡମ କହିଛନ୍ତି ଯେ କାଚଖଣ୍ଡ, ବିସ୍ଫୋରଣର ତୀବ୍ର ତରଙ୍ଗ ଏବଂ ଭଗ୍ନାବଶେଷ ବାଜି ଅନେକେ ଆହତ ହୋଇଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରଠୁ ଇସ୍ରାଏଲ ଉପରେ ଇରାନ ୧୫୦ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି ।
ଏଥିରେ ୧୨ଜଣଙ୍କ ମୃତ୍ୟୁ ହେଲାଣି । ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ମଧ୍ୟ ରବିବାର ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଦାବି କରିଛି ।
ତେଲଆଭିଭ୍ର ଦକ୍ଷିଣରେ ଥିବା ଏକ ଏୟାରବେସ୍ ଉପରେ ହେଜବୋଲ୍ଲା ଆକ୍ରମଣ କରିଛି । ସେହିପରି କୁଏତ ଉପରେ ମଧ୍ୟ ଇରାନ ଆଜି ଡ୍ରୋନ୍ ଆକ୍ରମଣ କରିଛି ।
ଶନିବାର ସଂଯୁକ୍ତ ଆରବ ଏମିରେଟସର ଫୁଜୈରା ତୈଳ ଟର୍ମିନାଲ ଉପରେ ଆକ୍ରମଣ ସମୟରେ ଏକ ଭାରତୀୟ ଜାହାଜ ଅଳ୍ପକେ ରକ୍ଷା ପାଇଯାଇଛି । ଭାରତୀୟ ପତାକାଧାରୀ ଜାହାଜ ଜଗ୍ ଲାଡକି ସେଠାରେ ଅଶୋଧିତ ତୈଳ ଭର୍ତି କରୁଥିବାବେଳେ ଘଟଣାଟି ଘଟିଥିଲା ।
ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ମାର୍ଚ ୧୪ ତାରିଖରେ ଭାରତୀୟ ଜାହାଜ ଜଗ ଲାଡକି ଫୁଜୈରା ସିଙ୍ଗଲ ପଏଂଟ ମୁରିଂରେ ଅଶୋଧିତ ତୈଳ ଭର୍ତି କରୁଥିଲା ।
ସେସମୟରେ ଫୁଜୈରା ତୈଳ ଟର୍ମିନାଲ ଉପରେ ଆକ୍ରମଣ ହୋଇଥିଲା । ରବିବାର ସକାଳ ସାଢ଼େ ୧୦ଟାରେ ଜାହାଟି ୮୦,୮୦୦ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଧରି ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବାବେଳେ ଜାହାଜରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।
ଅନ୍ୟପଟରେ ଇସ୍ରାଏଲ ସେନା ଶନିବାର ରାତିରେ ଲେବାନନ ଉପରେ କରିଥିବା ଆକ୍ରମଣରେ ୪ଜଣଙ୍କର ମୃତୁ୍ୟ ହୋଇଛି । ଇରାନ ସମର୍ଥିତ ହେଜବୋଲ୍ଲା ସଂଗଠନକୁ ନିଶାଣ କରି ଇସ୍ରାଏଲ ଏହି ଆକ୍ରମଣ କରିଛି । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ତାଙ୍କୁ ୟୁଏଇ ଓ ସାଉଦି ଆରବ ପ୍ରତିପକ୍ଷଙ୍କ ସହିତ କଥା ହୋଇଛନ୍ତି ।
କଥାବାର୍ତା କାଳରେ ଜୟଶଙ୍କର ଯୁଦ୍ଦ ପରିସ୍ଥିତି ବାବଦରେ ଉଭୟ ଅବଗତ ହୋଇଥିବା ଜଣାପଡ଼ିଛି ।