ତୈଳ କମ୍ପାନୀର ନୂଆ ନିୟମ
ଅଡ଼ୁଆରେ ପେଟ୍ରୋଲ ପମ୍ପ ମାଲିକ
ଇରାନ ଏବଂ ଇସ୍ରାଏଲ ଯୁଦ୍ଧକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ନେଇ ପ୍ରାୟ ସମଗ୍ର ବିଶ୍ୱ ତୈଳ ସଂକଟରେ ଉପନୀତ ହୋଇଥିବା ପରିଲକ୍ଷିତ ହୋଇଛି ।
କେବଳ ଏଲପିଜି ଯୋଗାଣରେ ନୁହେଁ, ସଂପ୍ରତି ତୈଳ ସଂକଟ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଯାହାଦ୍ୱାରା ପେଟ୍ରୋଲ ପମ୍ପ ମାଲିକମାନେ ଦୁଶ୍ଚିନ୍ତାର ସମ୍ମୁଖୀନ ହୋଇଛନ୍ତି । ମନେ କରାଯାଉଛି ଯେ ଏହାଦ୍ୱାରା ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ।
ବିଭିନ୍ନ ତୈଳ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲ ପମ୍ପଗୁଡ଼ିକକୁ କେବଳ ପୂର୍ବ-ପେମେଂଟ ଇନ୍ଧନ ଯୋଗାଇ ଦିଆଯିବ ଏବଂ ବର୍ତମାନର ସୃଷ୍ଟି ହୋଇଥିବା ସଂକଟ ଦୃଷ୍ଟିରେ ରଖି କ୍ରେଡିଟ୍ ଉପରେ ଇନ୍ଧନ ଯୋଗାଇବା ପ୍ରକ୍ରିୟା ବନ୍ଦ କରାଯିବ ।
ସରକାରୀ ତେଲ କମ୍ପାନୀଗୁଡ଼ିକ ଖୁଚୁରା ପେଟ୍ରୋଲ ପମ୍ପଗୁଡ଼ିକୁ କ୍ରେଡିଟ୍ରେ ଇନ୍ଧନ ଯୋଗାଣ ବନ୍ଦ କରି ଦେଇଛନ୍ତି । ପରିବର୍ତେ କଠୋର ଦେୟ ନିୟମ ଲାଗୁ କରିଛନ୍ତି । ଇରାନଦ୍ୱାରା ହର୍ମୁଜ ଷ୍ଟ୍ରେଟ୍ ବନ୍ଦ କରିବା ଯୋଗୁଁ ଯୋଗାଣ ଶୃଙ୍ଖଳାରେ ବାଧାପ୍ରାପ୍ତ ହେବା କାରଣରୁ ତୈଳ କମ୍ପାନୀଗୁଡ଼ିକ ଏଭଳି ନିଷ୍ପତି ନେଇଥିବା ଜଣାପଡ଼ିଛି । ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଗତ ସପ୍ତାହରେ ଆଗୁଆ ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ।
କିନ୍ତୁ ଇଣ୍ଡିଆନ୍ ଅଏଲ୍ ଗତ ସୋମବାରରୁ ଏହାର ପାଂଚ ଦିନିଆ କ୍ରେଡିଟ୍ ନୀତିକୁ ସ୍ଥଗିତ ରଖିଥିଲେ । ତୈଳ କମ୍ପାନୀର ଏହି ନୀତି ପ୍ରଣୟନ ଯୋଗୁଁ କେବଳ ସାଧାରଣ ତୈଳ କମ୍ପାନୀ ମାଲିକ ନୁହଁନ୍ତ ସାଧାରଣ ଜନତା ମଧ୍ୟ ଦୁଶ୍ଚିନ୍ତାରେ ପଡ଼ିଛନ୍ତି ।
ଯଦି ଯୋଗାଣରେ ଅସ୍ଥିରତା ସୃଷ୍ଟି ହୁଏ ତେବେ ଅନେକେ ହଟହଟା ହେବା ସ୍ୱାଭାବିକ, ତେଣୁ ସମସ୍ୟାକୁ ଯେପରି ଲାଘବ କରିହୁଏ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।