ଟ୍ରମ୍ପଙ୍କ ଧମକ ପରେ ଇରାନର କଠୋର ଆଭିମୁଖ୍ୟ
ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ୨ ନିୟୁତ ଡଲାର ପରିବହନ ଶୁଳ୍କ ଲାଗୁ
ଇରାନ ହର୍ମୁଜ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣକୁ କଡ଼ାକଡ଼ି କରିଥିବା ପରିଲକ୍ଷିତ ହୁଏ । ଏହି ଜଳପଥ ଦେଇ ମାଲ ପରିବହନ କରୁଥିବା କିଛି ଜାହାଜ ପାଇଁ ୨ ନିୟୁତ ଡଲାରର ପରିବହନ ଶୁଳ୍କ ଘୋଷଣା କରିଛି ।
ଇରାନ ଏହି ପଦକ୍ଷେପ ଏପରି ସମୟରେ ନେଇଛି ଯେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଥିଲେ । ତାଙ୍କର ଚେତାବନୀ ଥିଲା ଯେ ଯଦି ୪୮ଘଂଟା ମଧ୍ୟରେ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଖୋଲା ନ ଯାଏ, ତେବେ ଆମେରିକା ଇରାନର ଶକ୍ତି ଭିତିଭୂମିକୁ ଧ୍ୱଂସ କରିଦେବ ।
ଇରାନ ଏହି ପ୍ରଣାଳୀ ଦେଇ ପରିବହନ କରୁଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର ଶୁଳ୍କ ଲାଗୁ କରିବାକୁ ନିଷ୍ପତି ନେଇଛି ।
ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ତେହେରାନର ରପ୍ତାନି ନୀତି ସ୍ପଷ୍ଟ କରି କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଇରାନର ବିରୋଧୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ଖୋଲା ରହିବ ।
ଇରାନ ଇଂଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ ସଂସଦର ଜାତୀୟ ସୁରକ୍ଷା କମିଟିର ସଦସ୍ୟ ଇରାନୀ ସାଂସଦ ଆଲାଏଦ୍ଦିନ ବୋରୋଜେର୍ଦି କହିଛନ୍ତି ଯେ ଏହି ଭାରୀ ଶଳ୍କ ପୂର୍ବରୁ ଲାଗୁ କରାଯାଇଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନିୟନ୍ତ୍ରଣ କରିବା ପାଇଁ ଇରାନର ନୂତନ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।
ଟ୍ରମ୍ପଙ୍କ ଧମକ ପରେ ଇରାନ କହିଛି ଯେ ଯଦି ଆମେରିକା ଟ୍ରମ୍ପଙ୍କ ଧମକ ଅନୁସାରେ କାର୍ଯ୍ୟ କରି ଆମର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରେ, ତେବେ ତୈଳ ଏବଂ ଅନ୍ୟାନ୍ୟ ରପ୍ତାନି ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯିବ ।