ଦୁଇ ସପ୍ତାହ ମଧ୍ୟରେ ଇରାନ ଛାଡ଼ିବ ଆମେରିକା : ଟ୍ରମ୍ପ
ଅସହଯୋଗ ପାଇଁ ନାଟୋକୁ ଭର୍ତ୍ସନା
‘ତେଲ ପାଇଁ ହର୍ମୁଜ ଯାଅ, ନଚେତ ଆମଠୁ କିଣ’
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମାସେ ଟପିସାରିଲାଣି । କେହି କାହାରିକୁ ଛାଡ଼ୁନାହାନ୍ତି । ଗତ କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଏକତରଫା ଭାବେ ୧୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ; କିନ୍ତୁ ଏହାକୁ ନା’ ମାନିଲା ଇସ୍ରାଏଲ ନା’ ଇରାନ ।
ବରଂ ଏହି ଘୋଷଣା ପର ଠାରୁ ଉଭୟ ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଜୋରଦାର ଆକ୍ରମଣ ଜାରି ରଖିଥିଲେ । ଇସ୍ରାଏଲ ପକ୍ଷରୁ ଇରାନର ଏକ ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ କରାଯାଇଥିବାବେଳେ ଏହାର ଜବାବରେ ଇରାନ ମଧ୍ୟ ଇସ୍ରାଏଲ ସବୁଠାରୁ ବଡ଼ ରାସାୟନିକ କାରଖାନା ଉପରେ କ୍ଷେପଣାସ୍ତ୍ର ମାଡ଼ କରି ତାହାକୁ ଧ୍ୱଂସ କରିଦେଇଛି ।
ଖାଲି ସେତିକ ନୁହେଁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବନ୍ଧୁ ରାଷ୍ଟ୍ର ଓମାନ, ଜୋର୍ଡାନ, ୟୁଏଇ, ବାହାରିନ ଉପରେ ମଧ୍ୟ ଇରାନ ପଟୁ ବଡ଼ ଆକ୍ରମଣ ଜାରି ରହିଛି ।
ଅନ୍ୟପଟେ ଯୁଦ୍ଧର ଏହି ଘନାଘଟା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି ଯେ ଆସନ୍ତା ୨ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ କରି ଆମେରିକା ଇରାନ ଛାଡ଼ିବ । ଜିଦଖୋର ଇରାନକୁ ସାବାଡ଼ କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ ଏଫିକ ଫୁ୍ୟରି ଖୁବ ଶିଘ୍ର ଶେଷ ହେବ ।
ଅନ୍ୟପଟେ ଟ୍ରମ୍ପଙ୍କ ଏହି ଘୋଷଣାକୁ ନେଇ ଯୁଦ୍ଧ ବିଷାରଦମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । କାରଣ ଏଯାବତ ସ୍ଥଳଭାଗରେ କୌଣସି ଦେଶ ଇରାନକୁ ସମ୍ମୁଖ ଯୁଦ୍ଧରେ ହରାଇ ପାରିନାହାନ୍ତି । ଇରାନ ସୈନ୍ୟ ସେଠାକାର ପାର୍ବତ୍ୟ ଅଂଚଳ ସହିତ ବେଶ ପରିଚିତ ଓ ଗରିଲା ଯୁଦ୍ଧ କରିବାରେ ମଧ୍ୟ ଖୁବ ପାରଙ୍ଗମ ।
ପୁଣି ବର୍ତମାନ ମଧ୍ୟପ୍ରାଚ୍ୟରେ ଆମେରିକାର ୧ ଲକ୍ଷ ୯୦ ହଜାର ସୈନ୍ୟ ଥିବାବେଳେ ସହଯୋଗୀ ନାଟୋ ସମୂହର ପ୍ରାୟ ୧ ଲକ୍ଷ ସୈନ୍ୟ ତୈୟାର ଅଛନ୍ତି ।
ତେବେ ଏହି ଯୁଦ୍ଧରେ ଆମେରିକାକୁ ସହଯୋଗ କରିପାରିନଥିବାରୁ ନାଟୋ ଦେଶଗୁଡ଼ିକ ଉପରେ ଟ୍ରମ୍ପ ବର୍ଷିଛନ୍ତି ।
ବିଶେଷ କରି ଇରାନ ଅକ୍ତିଆରରେ ଥିବା ହର୍ମୁଜ ପ୍ରଣାଳୀକୁ ମୁକ୍ତ କରିବା ପାଇଁ କୌଣସି ନାଟୋ ରାଷ୍ଟ୍ର ସହଯୋଗ ନ କରିବାରୁ ସେମାନଙ୍କୁ ଟ୍ରମ୍ପ ଭର୍ତ୍ସନା କରି କହିଛନ୍ତି ଯେ,
‘ଯଦି ତେଲ ଦରକାର ତା’ହେଲେ ହର୍ମୁଜ ପ୍ରଣାଳୀକୁ ଯାଅ, ନଚେତ ଆମ ଠାରୁ କିଣ’ ବୋଲି ଟ୍ରମ୍ପ କହିଛନ୍ତି ।