ନାଗରିକଙ୍କୁ ଇରାନ ଛାଡ଼ିବାକୁ ଅନୁରୋଧ କଲା ଭାରତ
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି ।
ତଥାପି ତେହେରାନରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ନୂତନ ପରାମର୍ଶାବଳୀ ଜାରି କରି ଦେଶରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶୀଘ୍ର ସେଠାରୁ ଚାଲିଯିବାକୁ ଅନୁରୋଧ କରିଛି ।
ଦୂତାବାସ ଏହାର ପରାମର୍ଶରେ କହିଛି ଯେ ଭାରତୀୟ ନାଗରିକମାନେ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବା ଏବଂ ଇରାନ ଛାଡ଼ିବା ସମୟରେ ପ୍ରସ୍ତାବିତ ପ୍ରସ୍ଥାନ ମାର୍ଗ ଅନୁସରଣ କରିବା ଆବଶ୍ୟକ ।
ଦୂତାବାସ ସହ ପରାମର୍ଶ ଓ ସମନ୍ୱୟ ବିନା କୌଣସି ଅନ୍ତର୍ଜାତୀୟ ସ୍ଥଳ ସୀମା ନିକଟକୁ ଯିବା ଉଚିତ ନୁହେଁ ବୋଲି ଏଥିରେ କୁହାଯାଇଛି ।
ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଓ ଏକ ଇମେଲ ମଧ୍ୟ ଜାରି କରାଯାଇଛି ।
ପ୍ରଦାନ କରାଯାଇଥିବା ମୋବାଇଲ ନମ୍ବରଗୁଡ଼ିକ ହେଲା – +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୨, +୯୮୯୧୨୮୧୦୯୧୦୯ ଓ +୯୮୯୯୩୨୧୭୯୩୫୯ ।
ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧାର୍ଯ୍ୟ କରିଥିବା ସମୟସୀମା ଶେଷ ହେବାର ଏକ ଘଂଟାରୁ କମ୍ ସମୟ ପୂର୍ବରୁ ବୁଧବାର ଆମେରିକା ଓ ଇରାନ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି ।