ସମୁଦ୍ରରେ ଆମେରିକାର ଚକ୍ରବୁ୍ୟହ
ଏକାସଙ୍ଗେ ୩ଟି ବିମାନବାହୀ ଯୁଦ୍ଧଜାହାଜ ମୁତୟନ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧ ଏବେ ସାମୟିକ ଭାବେ ସ୍ଥଗିତ ରହିଛି । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯୁଦ୍ଧବିରାମ ଘୋଷଣା କରିଛନ୍ତି ।
ତେବେ ସେ ମଧ୍ୟପ୍ରାଚ୍ୟରେ ଇରାନ ଯୁଦ୍ଧକୁ ବନ୍ଦ କରି ସେଠାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଚାହୁଁଛନ୍ତି ନା’ ଆଉ କିଛି ଗୁପ୍ତ ରଣକୌଶଳ ଆପଣାଉଛନ୍ତି ତାହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ।
କାରଣ ଟ୍ରମ୍ପ ସବୁବେଳେ ଦୋମୁହାଁ କଥା କହୁଛନ୍ତି ।
ଗୋଟିଏ ପଟେ ପାକିସ୍ତାନର ମଧ୍ୟସ୍ଥତାରେ ଇରାନ ସହିତ ଶାନ୍ତି ଆଲୋଚନାର କଥା କହୁଥିବାବେଳେ ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଇରାନକୁ ଘେରି ପରାସ୍ତ କରିବା ପାଇଁ ନୂତନ ନୂତନ ରଣନୀତି ପ୍ରସ୍ତୁତି କରୁଛନ୍ତି ।
ଏହିଭଳି ଟ୍ରମ୍ପଙ୍କ ଏକ ରଣନୀତି ଏବେ ସାମ୍ନାକୁ ଆସିଛି ।
ପାରସ୍ୟ ଉପସାଗରରେ ଇରାନକୁ ଘେରିବା ପାଇଁ ଆମେରିକା ତା’ର ଚକ୍ରବୁ୍ୟହ ତିଆରି କରୁଛି । ଟ୍ରମ୍ପଙ୍କ ନିର୍ଦେଶକ୍ରମେ ଏକାସାଙ୍ଗରେ ୩ଟି ବିମାନବାହୀ ଯୁଦ୍ଧଜାହାଜକୁ ଆମେରିକା ପାରସ୍ୟ ଉପସାଗରରେ ମୁତୟନ କରିଛି । ସେଥିରେ ପାଖାପାଖି ୨୦୦ ଲଢ଼ୁଆ ଫାଇଟର ଜେଟ ଓ ୧୫ ହଜାର ସୈନିକ ନିୟୋଜିତ ରହିଛନ୍ତି ।
ତେବେ ପ୍ରାୟ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକାର ବଡ଼ ସମାବେଶ ଦେଖିବାକୁ ମିଳିଛି ।
ସୂଚନାଥାଉ କି, ଗୋଟିଏ ପଟେ ଇରାନ ତା’ର ସମସ୍ତ ପରମାଣୁ କାର୍ଯ୍ୟକ୍ରମକୁ ସବୁଦିନ ପାଇଁ ସ୍ଥଗିତ ରଖିବା ସହ ଗଚ୍ଛିତ ରଖିଥିବା ୟୁରାନିୟମକୁ ହସ୍ତାନ୍ତର କରୁ ବୋଲି ଆମେରିକା ଜିଦ ଧରିଛି ।
ଅନ୍ୟପଟେ ଆମେରିକାର ଏହି ଅବାନ୍ତର ପ୍ରସ୍ତାବକୁ ଇରାନ ପ୍ରତ୍ୟାଖାନ କରିଆସୁଛି ।
ତେଣୁ ଉଭୟଙ୍କ ମଧ୍ୟରେ ଆଗକୁ ଇସଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନାର ସଫଳତାକୁ ନେଇ ଏବେଠାରୁ ସନ୍ଦେହ ଉପୁଜିଛି ।