ସାମ୍ବାଦିକଙ୍କ ଉପରେ ବର୍ଷିଲେ ଟ୍ରମ୍ପ
‘ମୁଁ ଦୁଷ୍କର୍ମକାରୀ ନୁହେଁ, ମୁଁ କାହା ସହ ଦୁଷ୍କର୍ମ କରିନାହିଁ’
ଆମେରିକାର ୱାଶିଂଟନ ଡିସିରେ ହ୍ୱାଇଟ ହାଉସ କରେସପେଣ୍ଡେଂଟଙ୍କ ରାତ୍ରିଭୋଜନ ସମୟରେ ଏକ ଆତଙ୍କ ସୃଷ୍ଟି ହୋଇଥିଲା । ଯେତେବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ ।
କାଲିଫର୍ନିଆର ବାସିନ୍ଦା ୩୧ ବର୍ଷୀୟ କୋଲ ଥମାସ ଆଲେନ ଭାବରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତି ଅନେକ ଅସ୍ତଶସ୍ତ୍ର ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ ଏବଂ ସୁରକ୍ଷା ବଳୟ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ ।
ତେବେ ସୁରକ୍ଷା ବାହିନୀ ତାଙ୍କୁ କାର୍ଯ୍ୟକ୍ରମ ହେଉଥିବା ବଲରୁମ ନିକଟରେ କାବୁ କରିଥିଲେ । ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ । ଘଟଣାର କିଛି ଘଂଟା ପରେ ଟ୍ରମ୍ପ ସିବିଏସ ନ୍ୟୁଜ ସାମ୍ବାଦିକ ନୋରା ଓ ଡୋନେଲାଙ୍କୁ ଏକ ସାକ୍ଷାତକାର ଦେଇଥିଲେ । ପ୍ରାରମ୍ଭରେ ଟ୍ରମ୍ପ ଶାନ୍ତ ଦେଖାଯାଉଥିଲେ, କିନ୍ତୁ ଯେତେବେଳେ ରିପୋର୍ଟର ଆକ୍ରମଣକାରୀଭ୍କ କଥିତ ଘୋଷଣାପତ୍ର ଉଲ୍ଲେଖ କରିଥିଲେ, ସେତେବେଳେ ସେ ଚିନ୍ତିତ ହୋଇ ଯାଇଥିଲେ ।
ନୋରା ଘୋଷଣାପତ୍ରର ବିଷୟବସ୍ତୁ ପଢ଼ିବା ମାତ୍ରେ ଟ୍ରମ୍ପ କ୍ରୋଧ ପ୍ରକାଶ କରିଥିଲେ । ଟ୍ରମ୍ପ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କୁ ଜାଣିଶୁଣି ବଦନାମ କରିବାକୁ ଚେଷ୍ଟା କରାଯାଉଛି ।
ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସେହି ଅଭିଯୋଗଗୁଡ଼ିକ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ନିର୍ଦୋଷ । ସେ ଆହୁରି କହିଥିଲେ ଯେ ମୁଁ ଦୁଷ୍କର୍ମକାରୀ ନୁହେଁ, ମୁଁ କାହା ସହ ଦୁଷ୍କର୍ମ କରିନାହିଁ । ନୋରା ବାଧା ଦେଇ ପଚାରିଥିଲେ ଓଃ ଆପଣ କ’ଣ ଭାବୁଛନ୍ତି, ସେ ଆପଣଙ୍କ ବିଷୟରେ କହୁଥିଲେ ? କିନ୍ତୁ ଟ୍ରମ୍ପ ତାଙ୍କ ପ୍ରଶ୍ନକୁ ଅଣଦେଖା କରି କହିଥିଲେ ଯେ ମୁଁ ଶିଶୁ ଯୌନ ଶୋଷଣକାରୀ ନୁହେଁ ।
ତୁମେ କାହିଁକି ସେଭଳି ମାନସିକ ଅସୁସ୍ତ ବ୍ୟକ୍ତିଙ୍କର ଏଭଳି ଲେଖା ପଢ଼ୁଛି ବୋଲି ଟ୍ରମ୍ପ ପ୍ରଶ୍ନ କରିଥିଲେ ।
ଟ୍ରମ୍ପ ଆକ୍ରମଣକାରୀଙ୍କୁ ଜଣେ କଠୋରପନ୍ଥୀ, ଖ୍ରୀଷ୍ଟିୟାନ ବିରୋଧୀ ଏବଂ ମାନସିକ ଅସୁସ୍ଥ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ ।
ସେ କହିଥିଲେ ଯେ ଏପରି ବ୍ୟକ୍ତି ସମାଜ ପାଇଁ ବିପଦ । ସେ ଆମେରିକାରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ପାଇଁ ଡେମୋକ୍ରାଟିକ ନେତାଙ୍କ ଘୃଣା ଭାଷଣକୁ ମଧ୍ୟ ଦାୟୀ କରି ଏହାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଥିଲେ । ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡରି ନଥିଲେ ବୋଲି ଦାବି କରିଥିଲେ ।
ଟ୍ରମ୍ପଙ୍କ ଅନୁସାରେ ସେ ନିଜେ ଦେଖିବାକୁ ଚାହୁଁଥିଲେ କ’ଣ ଘଟୁଛି ଏବଂ ପରେ କାର୍ଯ୍ୟକ୍ରମରେ ଫେରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।