ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ଭାରତୀୟ ରପ୍ତାନୀ ଉପରେ ରହିବନି ଶୁଳ୍କ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ୱାକ୍ଷରିତ ହୋଇଛି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ଦ୍ରୀ ଟୋଡ ମ୍ୟାକକ୍ଲେଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଏହି ଚୁକ୍ତି ଅନୁଯାୟୀ ଆସନ୍ତା ୧୫ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୨୦ ବିଲିୟନ ଡଲାରର ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ଏହା ସହିତ ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ୧୦୦ ପ୍ରତିଶତ ସାମଗ୍ରୀ ଉପରେ କୌଣସି ଆମଦାନୀ ଶୁଳ୍କ ଲାଗିବ ନାହିଁ । ବସ୍ତ୍ର, ପ୍ଲାଷ୍ଟିକ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ବିଶେଷ କରି ଆଗ୍ରାର ଚମଡ଼ା ଶିଳ୍ପ ପରି ଶ୍ରମବହୁଳ କ୍ଷେତ୍ରଗୁଡ଼ିକ ଏହାଦ୍ୱାରା ବହୁଳ ଭାବେ ଲାଭବାନ ହେବେ ।
ସେବା କ୍ଷେତ୍ରରେ ମଧ୍ୟ ଭାରତକୁ ବିଶେଷ ଫାଇଦା ମିଳିବ । ସୂଚନା ପ୍ରଯୁକ୍ତିବିଦ୍ୟାଳ (ଆଇଟି), ଶିକ୍ଷା, ଆର୍ଥିକ ସେବା, ପର୍ଯ୍ୟଟନ ଏବଂ ନିର୍ମାଣ କ୍ଷେତ୍ର ପାଇଁ ନ୍ୟୁଜିଲ୍ୟାଣ୍ଗଡ ନିଜର ବଜାର ଉନ୍ମୁକ୍ତ କରିବ । ଏଥିସହ ଏକ ସ୍ୱତନ୍ତ୍ର ଅସ୍ଥାୟୀ ନିଯୁକ୍ତି ଭିସା ମାଧ୍ୟମରେ ପ୍ରତିବର୍ଷ ୫,୦୦୦ ଦକ୍ଷ ଭାରତୀୟ ପେସାଦାର ନ୍ୟୁଜିଲ୍ୟାଣ୍ଡରେ ତିନିବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବାର ସୁଯୋଗ ପାଇବେ ।
ଅନ୍ୟପକ୍ଷରେ ଭାରତ ନିଜର ୭୦ ପ୍ରତିଶତ ଟାରିଫ ଲାଇନ ନ୍ୟୁଜିଲ୍ୟାଣ୍ଡ ପାଇଁ ଖୋଲିଛି । ନ୍ୟୁଜିଲ୍ୟାଣ୍ଡରୁ ଆସୁଥିବା ଆପଲ, କିୱିଫ୍ରୁଟ ଏବଂ ମାନୁକା ମହୁ ଭଳି କୃଷିଜାତ ସାମଗ୍ରୀ ଉପରେ ଶ୍ୁଳ୍କ ରିଆତି ପ୍ରଦାନ କରାଯିବ । ତେବେ ଘରୋଇ ସ୍ୱାର୍ଥ ଦୃଷ୍ଟିରେ ରଖି ଭାରତ ଦୁଗ୍ଧଜାତ ଦ୍ରବ୍ୟ, କେତେକ ପନିପରିବା, ଅସ୍ତ୍ରଶସ୍ତ୍ର, ଅଳଙ୍କାର, ତମ୍ବା ଏବଂ ଆଲୁମିନିୟମ ଭଳି ସାମଗ୍ରୀକୁ ଏହି ଶୁଳ୍କମୁକ୍ତ ତାଲିକାରୁ ବାଦ୍ ଦେଇଛି ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ପ୍ରଥମେ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ୨୦୧୫ରେ ଏହା ସ୍ଥଗିତ ହୋଇଯାଇଥିଲା ।
ପୁନର୍ବାର ମାର୍ଚ ୨୦୨୫ରେ ଏହି ଆଲୋଚନା ଆରମ୍ଭ ହୋଇ ଡିସେମ୍ବରରେ ସଫଳତାର ସହ ଶେଷ ହୋଇଥିଲା ।
ସୂଚନାଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ ସାମଗ୍ରୀ ବାଣିଜ୍ୟର ମୂଲ୍ୟ ୧.୩ ବିଲିୟନ ଡଲାର ଥିଲା ।