ବେରୁଟ ଉପରେ ଇସ୍ରାଏଲର ବୋମାମାଡ଼
୧୫ ମୃତ, ଶତାଧିକ ଆହତ
ଗତ ୩ ମାସ ଧରି ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ଅନ୍ତ ଘଟିଛି ।
ଶୁକ୍ରବାର ଜେନେଭା ଠାରେ ଇରାନ ଓ ଆମେରିକା ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ତନୁଯାୟୀ ଇରାନ ଉପରେ ଆମେରିକା ଆକ୍ରମଣ ବନ୍ଦ କରିବାକୁ ରାଜି ହେବା ସହ ୬୦ ଦିନ ମଧ୍ୟରେ ଇରାନ ସୀମା ସଂଲଗ୍ନ ଅନ୍ୟ ରାଷ୍ଟ୍ରରେ ମୂତୟନ ଥିବା ମାର୍କିନ ସେନାଙ୍କୁ ପ୍ରତ୍ୟାହାର କରିନେବାକୁ ରାଜି ହୋଇଛି । ତେଣେ ଇରାନ ମଧ୍ୟ ସମାନ ଭାବେ ଆମେରିକୀୟ ସେନା ଉପରେ ଆକ୍ରମଣ କରିବ ନାହିଁ ବୋଲି ସହମତି ଜଣାଇବା ସହ ହର୍ମୁଜ ଷ୍ଟ୍ରେଟ୍ରେ ଜାହାଜ ପରିବହନ ପାଇଁ ଅନୁମତି ଦେଇଛି ।
ତେବେ ଏହା ମଧ୍ୟରେ ଉଦଣ୍ଡ ଇସ୍ରାଏଲ ଏହି ଶାନ୍ତି ଚୁକ୍ତିନାମାକୁ ନ ମାନି ଲେବାନାନର ବେରୁଟସ୍ଥିତ ଏକାଧିକ ସ୍ଥାନ ଉପରେ ଆକ୍ରମଣ କରିଛି ।
ବେରୁଟର ପୂର୍ବଭାଗରେ ଥିବା ଏକ ଗ୍ରାମ ଉପରେ ଇସ୍ରାଏଲର ବାୟୁସେନା ବୋମାମାଡ଼ କରିଛି ।
ଏଥିରେ ଲେବାନାନର ୧୫ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି ।
ତେବେ ଏହି ଆକ୍ରମଣ ଲେବାନାନରେ ଆଡ୍ଡା ଜମାଇଥିବା ହେଜବୋଲ୍ଲା ଆତଙ୍କବାଦୀଙ୍କ ଉପରେ କରାଯାଇଥିବା ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେଣେ ଶାନ୍ତି ଆଲୋଚନା ମଧ୍ୟରେ ଇସ୍ରାଏଲର ଏଭଳି ଆକ୍ରମଣକୁ ଆମେରିକା କଟୂ ନିନ୍ଦା କରିଛି ।