ଟ୍ରମ୍ପଙ୍କ ବୋଲ ମାନୁନି ଇସ୍ରାଏଲ
ତେହେରାନ ଉପରେ ଘନ ଘନ ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ୨୪ ଦିନକୁ ଛୁଇଁଲାଣି । ଏହି ଘମାଘୋଟ ଯୁଦ୍ଧରେ ଉଭୟ ପଟୁ ପ୍ରତିପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନର ରାଜଧାନୀ ତେହେରାନ ସମେତ ଏହାର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକ ଉପରେ ଶତାଧିକ ବୋମାମାଡ଼ ଓ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି ।
ଫଳରେ ଇରାନ ତା’ର ସର୍ବୋଚ ନେତା ଆୟୋତଲା ଖେମିନିଙ୍କ ସମେତ କିଛି ସେନା ପ୍ରମୁଖ, ଗୁପ୍ତଚର ପ୍ରମୁଖ ମୃତୁ୍ୟବରଣ କରିଥିଲେ । ଏଥିରେ ରକ୍ତମୁଖା ଇରାନ ଇସ୍ରାଏଲର ତେଲ ଅଭିଭ ଓ ଅନ୍ୟାନ୍ୟ ସହର ସମେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସୈନ୍ୟଘାଟିଗୁଡ଼ିକ ଉପରେ ପ୍ରଚଣ୍ଡ ଭାବେ ପ୍ରତିଆକ୍ରମଣ କରିଥିଲା ।
ଇରାନୀୟ ଡ୍ରୋନ ଓ ବାଲିଷ୍ଟିକ ଆକ୍ରମଣରେ କାତାର, ବାହାରିନ, ଜୋଡାନ, ଦୋହା, କୁଏତ ଆଦି ଦେଶରେ ଥିବା ଆମେରିକା ସୈନ୍ୟ ଘାଟି ଓ ପାରସ୍ୟ ଉପସାଗରରେ ବୁଲୁଥିବା ଆମେରିକୀୟ ଯୁଦ୍ଧପୋତ କ୍ଷତିଗ୍ରସ୍ତ ହୋଇଛି ।
ଏଥିସହ ଇରାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକାର ସର୍ବାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଥାଡ ଏବଂ ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ-୩୫ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ମଧ୍ୟ ଏହି ଯୁଦ୍ଧରେ ବହୁ ଆର୍ଥିକ କ୍ଷତି ସହିସାରିଛି ।
ଏଣୁ ଯୁଦ୍ଧକୁ ଆଉ ଅଧିକ ନ ଲମ୍ବାଇ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ବୋଲ ମାନୁନି ଅମାନିଆ ଇସ୍ରାଏଲ ।
ଯଦିଓ ଇସ୍ରାଏଲର ଆମନ୍ତ୍ରଣକ୍ରମେ ଆମେରିକା ତା’ସହିତ ମିଶି ଇରାନ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଛି; ମାତ୍ର ଏହାକୁ ଭୁଲି ଯାଇଛି ଇସ୍ରାଏଲ ।
ବିଶ୍ୱରେ ତା’ର ପରମ ଓ ପ୍ରଥମ ଶତ୍ରୁ ଇରାନକୁ ସମୂଳେ ଧ୍ୱଂସ କରିବା ପାଇଁ ଟ୍ରମ୍ପଙ୍କ ନିର୍ଦେଶକୁ ମଧ୍ୟ ମାନୁନାହାନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ଏଣୁ ସୋମବାର ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ମଧ୍ୟ ଇରାନର ରାଜଧାନୀ ତେହେରାନ ଉପରେ ଇସ୍ରାଏଲ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି ।
ତେବେ ଏହି ଆକ୍ରମଣରେ ଇରାନର କ’ଣ କ୍ଷତି ହୋଇଛି ତାହା ଜଣାପଡ଼ି ପାରି ନାହିଁ; କିନ୍ତୁ ଯଦି ଇସ୍ରାଏଲ ଏଭଳି ଅମାନିଆ ହୁଏ ତା’ହେଲେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିବ ଏବଂ ମଧ୍ୟପ୍ରାଚ୍ୟ ପୁଣି ଥରେ ଜଳିବ ବୋଲି ଆଶଙ୍କା କରାଯାଉଛି ।