ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ବିମାନ ପଠାଇଲା ପାକିସ୍ତାନ
ଇସଲାମାବାଦରେ ଶନିବାର ଆମେରିକା-ଇରାନ ଶାନ୍ତି ଆଲୋଚନା । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱର ସମ୍ମୁଖୀନ ହୋଇଥିବା ପରିଲକ୍ଷିତ ହୋଇଛି ।
ଆଲୋଚନା ପାଇଁ ପାକିସ୍ତାନକୁ ଆସୁଥିବା ପ୍ରତିନିଧିଙ୍କ ବିମାନକୁ ସୁରକ୍ଷା ଦେବା ସକାଶେ ଇସଲାମାବାଦ ମଧ୍ୟପ୍ରାଚ୍ୟକୁ ଏକାଧିକ ଯୁଦ୍ଧ ବିମାନ, ସି-୧୩୦ ପରିବହନ ବିମାନ, ଇନ୍ଧନ ଭର୍ତି ଟ୍ୟାଙ୍କର ଏବଂ ଏଡବ୍ଲ୍ୟୁଏସିଏସ ପଠାଇଛି ।
ଏପ୍ରିଲ ୮ରେ ଚୀନ ସହାୟତାରେ ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିବାରେ ସଫଳ ହୋଇଥିଲା । ତେହେରାନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଦେଇଥିଲା । ଯେଉଁଥିରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
ପାକିସ୍ତାନ ବର୍ତମାନ ବିବାଦରେ ସ୍ଥାୟୀ ସମାପ୍ତି ପାଇଁ ଆଲୋଚନା ଚାହେଁ । ପାକିସ୍ତାନ ସ୍ପଷ୍ଟ ଭାବେ ଜାଣେ ଯେ ଏହାର ଅନ୍ତର୍ଜାତୀୟ ପ୍ରୋଫାଇଲ ବିପଦରେ ଅଛି । ଆଲୋଚନା ଆୟୋଜନ ନିମନ୍ତେ ଏହା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।
ଇସଲାମବାଦର କିଛି ଅଂଶରେ ଲକଡାଉନ ଘୋଷଣା କରିବା ବ୍ୟତୀତ ପାକିସ୍ତାନ ଏହାର ଦକ୍ଷିଣ ଓ ପଶ୍ଚିମ ବାୟୁସୀମାରେ ଏାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି । ଏ ସମ୍ପର୍କରେ ପାକିସ୍ତାନ ମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ସମସ୍ତ ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରସ୍ତୁତି ହୋଇଛି ।
ଆମେରିକାର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଇସଲାମାବାଦ ଅଭିମୁଖେ ଆସୁଛନ୍ତି । ଇରାନ ପକ୍ଷରୁ ସଂସଦର ବାଚସ୍ପତି ମହମ୍ମଦ ଗାଲିବାଫ ଓ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଏହି ଆଲୋଚନାର ନେତୃତ୍ୱ ନେବାର ସମ୍ଭାବନା ଦେଖାଦେଇଛି ।
ଶାନ୍ତି ଆଲୋଚନାରେ କୌଣସି ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଇସ୍ରାଏଲର ଦୁଃସାହସିକ କାର୍ଯ୍ୟକୁ ଏଡାଇବା ପାଇଁ ଏହା କରାଯାଇଛି ।
ଇସ୍ରାଏଲକୁ ଖଳ ଓ ମାନବିକତା ପାଇଁ ଅଭିଶାପ ବୋଲି କହିବା ପରେ ଏହା ଆରମ୍ଭ ହୋଇଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ମନ୍ତବ୍ୟକୁ ଅପମାନଜନକ ବୋଲି କହିଛନ୍ତି ।