ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ
ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ଜଣ ଆହତ ହୋଇଛନ୍ତି ।
ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହୋଇଥିବା ସତ୍ୱେ ଇସ୍ରାଏଲ ଏପରି ଆକ୍ରମଣ କରିଛି । ଇସ୍ରାଏଲର ଏପରି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉଦେ୍ଦଜନା ବୃଦ୍ଧି ପାଇଛି । ବେରୁଟର ଦକ୍ଷି ଉପକଣ୍ଠରେ ଥିବା ହେଜବୋଲ୍ଲାର ଗଡ଼ କୁହାଯାଉଥିବା ଦାହିୟେ ଅଂଚଳରେ ଏହି ଆକ୍ରମଣ ହୋଇଛି ।
ଲେବାନନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଯୁଦ୍ଧବିମାନ ଦୁଇଟି ଆପାର୍ଟମେଂଟ ବିଲ୍ଡିଂକୁ ଲକ୍ଷ୍ୟ କରି ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହି ୍ରାକ୍ରମଣରେ ଆପାର୍ଟମେଂଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨ଜଣ ପ୍ରାଣ ହରାଇବା ସହ ୧୧ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଏକ ମିଳିତ ବିବୃତିରେ କହିଛନ୍ତି ଯେ ହେଜବୋଲ୍ଲାର କମାଣ୍ଡ ସେଂଟରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି ।
ରବିବାର ସକାଳେ ହେଜବୋଲ୍ଲା ପକ୍ଷରୁ ଉତର ଇସ୍ରାଏଲକୁ ଲକ୍ଷ୍ୟ କରି ରକେଟ ମାଡ଼ କରାଯାଇଥିଲା । ଏହାର ପ୍ରତିୋଶାଧ ସ୍ୱରୂପ ଇସ୍ରାଏଲ ବେରୁଟ ଉପରେ ଏହି ଏୟାର ଷ୍ଟ୍ରାଇକ କରିଛି । କିଛି ଦିନ ତଳେ ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ଲେବାନନ ସରକାଙ୍କ ମଧ୍ୟରେ ଏକ ସାମୟିକ ଅସ୍ତ୍ରବିରତି ସ୍ୱାକ୍ଷରିତ ହୋଇଥିଲା, କିନ୍ତୁ ହେଜବୋଲ୍ଲା ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲା । ହେଜବୋଲ୍ଲା ବିରୋଧରେ ଇସ୍ରାଏଲ କରୁଥିବା ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥନ କରିଛନ୍ତି ।
ଜଣାପଡ଼ିଛି ଯେ ସେ କହିଛନ୍ତି ଯେ ଇସ୍ରାଏଲ ବ୍ୟାପକ ବୋମା ବିସ୍ଫୋରଣ କରି ସାଧାରଣଙ୍କ ଲୋକଙ୍କ ସମ୍ପତି ନଷ୍ଟ କରିବା ବଦଳରେ କେବଳ ହେଜବୋଲ୍ଲାର ନିର୍ଦ୍ଦିଷ୍ଟ ଆଡ୍ଡା ଓ କମାଣ୍ଡରମାନଙ୍କୁ ଟାର୍ଗେଟ କରୁ, ଯାହାଦ୍ୱାରା ନିରୀହ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିବ । ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ହେବାକୁ ଥିବା ଚୁକ୍ତିରେ ଲେବାନନ ପ୍ରସଙ୍ଗକୁ ଯୋଡ଼ିବାକୁ ସେ ଚାହୁଁ ନାହାଁନ୍ତି ।
ସେ ଇରାନ ଏବଂ ଲେବାନନ ପ୍ରସଙ୍ଗକୁ ପୃଥକ ଭାବେ ଦେଖୁଛନ୍ତି । ମାତ୍ର ଇରାନ ଚାହୁଁଛି ଯେ ଆମେରିକା ସହ ଆଲୋଚନାରେ ଲେବାନନ ଅସ୍ତ୍ରବିରତି ପ୍ରସଙ୍ଗ ମଧ୍ୟ ସାମିଲ ହେଉ । ଅନ୍ୟପକ୍ଷରେ ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଇରାନ କଡ଼ା ଚେତାବନୀ ଦେଇଛି । ଇରାନ ସଂସଦର ଜାତୀୟ ସୁରକ୍ଷା କମିସନର ମୁଖପାତ୍ର ଇବ୍ରାହିମ ରେଜାଇ ଏହି ଆକ୍ରମଣକୁ ନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ।
ଇବ୍ରାହିମ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟରେ ଲେଖିଛନ୍ତି ଯେ ବେରୁଟ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ଇରାନ ନିଶ୍ଚିତ ଭାବେ ନେବ । ଆମେ (ଇରାନ) ଜିଓନିଷ୍ଟ ପ୍ରଶାସନ (ଇସ୍ରାଏଲ)ର ଏହି ଆକ୍ରମଣର ଏକ ନିର୍ଣ୍ଣାୟକ ଓ କଷ୍ଟଦାୟକ ଜବାବ ଦେବୁ ।