ମଧ୍ୟପ୍ରାଚ୍ୟ ପୁଣି ଅସ୍ଥିର
ଲେବାନାନ ଉପରେ ଇସ୍ରାଏଲର ଆକ୍ରମଣ: ୪୭ ମୃତ, ଶତାଧିକ ଗୁରୁତର
ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ସତ୍ୱେ ଥମୁନି ଇସ୍ରାଏଲର ଉଗ୍ରତା ଆଚରଣ ।
ସେ ଏହି ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ନ ମାନି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଲେବାନନର ରାଜଧାନୀ ବେରୁଟ ସ୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାର ଆଡ୍ଡାସ୍ଥଳ ଉପରେ ଘନ ଘନ ଆକ୍ରମଣ କରିଛି ।
ଏଥିରେ ଲେବାନନର ୪୭ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି ।
ଜବାବରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ଇସ୍ରାଏଲୀ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ହେଜବୋଲ୍ଲାର ପ୍ରତିଆକ୍ରମଣରେ ଜଣେ ଲେଫ୍ଟନାଂଟ କର୍ଣ୍ଣେଲ ଓ ୩ ଜଣ ସୈନ୍ୟଙ୍କୁ ଇସ୍ରାଏଲ ହରାଇଛି ।
ତେବେ ହେଜବୋଲ୍ଲାର ଏହି ଆକ୍ରମଣ ପରେ ଅଧିକ ରକ୍ତମୁଖା ହୋଇ ଉଠିଥିଲା ଇସ୍ରାଏଲ ଏବଂ ବେରୁଟ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଥିଲା । ତେଣେ ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ ପରବର୍ତୀ ଶାନ୍ତି ଆଲୋଚନାକୁ ଆପାତତଃ ବନ୍ଦ ରଖିଛି । ଏଣୁ ସ୍ୱିଜରଲାଣ୍ଡରେ ଇରାନ ସହିତ ହେବାକୁ ଥିବା ଶାନ୍ତି ଆଲୋଚନା ବାତିଲ ହେବା ଜାଣି ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ତାଙ୍କ ଗସ୍ତ ବାତିଲ କରିଛନ୍ତି ।
ଅନ୍ୟପଟେ ନିଜର ସେନାଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ପରେ ଅଧିକ ଉଗ୍ର ହୋଇପଡ଼ିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମ ସୈନ୍ୟଙ୍କ ଉପରେ ଆକ୍ରମଣ ପାଇଁ ହେଜବୋଲ୍ଲାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।
ହେଜବୋଲ୍ଲା ବିପଦ ଦୂର ନ ହେବା ପର୍ଯ୍ୟନ୍ତ ଲେବାନାନରେ ଇସ୍ରାଏଲ ସେନା ରହିବ ବୋଳି ସେ ସ୍ପଷ୍ଟ କରିଛନ୍ତି ।
ଫଳରେ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଶାନ୍ତି ପରିବର୍ତେ ଘମାଘୋଟ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।