ପାକିସ୍ତାନ ଏକ ଭସ୍ମାସୁର ରାଷ୍ଟ୍ର : ଭାରତ
ପାକିସ୍ତାନ ଏକ ଭସ୍ମାସୁର ରାଷ୍ଟ୍ର ବୋଲି ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତ କଡ଼ା ସମାଲୋଚନା କରିଛି ।
ମିଳିତ ଜାତିସଂଘରେ ପାକସ୍ତାନ ଓ ଅର୍ଗାନାଇଜେସନ ଅଫ୍ ଇସଲାମିକ କୋ-ଅପରେସନ (ଓଆଇସି) ଜାତିସଂଘର ବାର୍ଷିକ ରିପୋର୍ଟ ଆଲୋଚନା ସମୟରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ପକ୍ଷରୁ ଏଭଳି କଡ଼ା ପ୍ରତିଜବାବ ଦିଆଯାଇଛି ।
ଭାରତ ନିଜର ‘ରାଇଟ୍ ଅଫ୍ ରିପ୍ଲାଇ’ ଅଧିକାର ବଳରେ ପାକିସ୍ତାନର ଆତଙ୍କବାଦୀ ନୀତିକୁ ସମଗ୍ର ବିଶ୍ୱ ସାମ୍ନାରେ ପଦାରେ ପକାଇଛି ।
ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଅନୁପମା ସିଂହ ପାକିସ୍ତାନକୁ ଏକ ‘ଫ୍ରାଙ୍କେନଷ୍ଟାଇନ ଷ୍ଟେଟ୍’ ବା ‘ଭସ୍ମାସୁର ରାଷ୍ଟ୍ର’ ବୋଳି ଆଖ୍ୟା ଦେଇଛନ୍ତି ।
ତାଙ୍କ ମତରେ ପାକିସ୍ତାନ ଏଭଳି ଏକ ଦେଶ ଯେଉଁଠି ସରକାରଙ୍କ କୌଣସି କର୍ତୃତ୍ୱ ନାହିଁ ।
ପାକିସ୍ତାନ ଯେଉଁ ଆତଙ୍କବାଦୀ ସଂଗଠନକୁ ଗଢ଼ିଛି ଓ ଲାଳନପାଳନ କରୁଛି ଏବେ ସେହି ଆତଙ୍କବାଦୀ ସଂଗଠନଗୁଡ଼ିକ ଦ୍ୱାରା ନିଜେ ଶିକାର ହେଉଛି । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦମନ ବା ନିୟନ୍ତ୍ରଣ କରିବାରେ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଏହାର ପରିଣାମ ପାକିସ୍ତାନବାସୀ ଭୋଗୁଛନ୍ତି ।
ଏଥିସହ ସେ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇଛନ୍ତି ।
ପାକିସ୍ତାନର ପ୍ରତିରକ୍ଷା ମନ୍୍ରତୀ ନିଜେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା, ତାଲିମ ଦେବା ଏବଂ ସେମାନଙ୍କୁ ବ୍ୟବହାର କରିବା ତାଙ୍କ ରାଷ୍ଟ୍ରର ସରକାରୀ ନୀତି ବୋଲି ଗର୍ବର ସ୍ୱୀକାର କରିଥିବା ଅନୁପମା କହିଛନ୍ତି ।