ଇରାନର ଧମକ : ସମୁଦ୍ର ତଳେ ଯାଇଥିବା ଇଂଟରନେଟ୍ କାଟିଦେବୁ
ଇରାନ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ହର୍ମୁଜ ପ୍ରଣାଳୀକୁ ଇରାନ ସମ୍ପୂର୍ଣ୍ଣ ଅବରୋଧ କରିଥିବାବେଳେ ଏହି ଜଳପଥ ଦେଇ ତୈଳ କାରବାର ବାଧାପ୍ରାପ୍ତ ହେବାରେ ଲାଗିଛି ।
ଇରାନ ବର୍ତମାନ ହର୍ମୁଜ ପ୍ରଣାଳୀ ସମୁଦ୍ର ଶଯ୍ୟାରେ ବିଛା ଯାଇଥିବା ଇଂଟରନେଟ୍ କେବୁଲକୁ କାଟିବାକୁ ଚିନ୍ତା କରୁଛି । ଯଦି ଇରାନ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରେ, ତେବେ ବିଶ୍ୱରେ ଇଂଟରନେଟ୍ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି ।
ମୂଳତଃ ଲୋହିତ ସାଗର ଓ ହର୍ମୁଜ ପ୍ରଣାଳୀସ୍ଥିତ ସମୁଦ୍ର ଶଯ୍ୟାରେ ପ୍ରାୟ ୨୦ଟି ଗୁରୁତ୍ୱପୂର୍ଣ୍ଣ ଇଂଟରନେଟ୍ କେବୁଲ୍ ବିଛାଯାଇଛି । ଏସିଆ-ୟୁୁରୋପ-ଆଫିକା ମଧ୍ୟରେ ଏହି କେବୁଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଇଂଟରନେଟ୍ ଟ୍ରାଫିକ୍ ବ୍ୟବସ୍ଥାକୁ ସମ୍ବାଳିଥାଏ । ଏଗୁଡ଼ିକ ମଧ୍ୟରେ ଏଏଇ-୧, ଫାଲକନ, ଗଲ୍ଫ ବ୍ରିଜ ଇଂଟରନ୍ୟାସନାଲ କେବୁଲ ସିଷ୍ଟମ, ଟାଟା-ଟିଜିଏନ ଗଲ୍ଫ ଭଳି କେବୁଲ ସାମିଲ ରହିଛି ।
ଗୁଗୁଲ୍, ଆମାଜନ ଓ ମାଇକ୍ରୋସଫ୍ଟ ଭଳି ନାମୀ କମ୍ପାନୀଗୁଡ଼ିକ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶରେ କୋଟିକୋଟି ଟଙ୍କା ବ୍ୟୟ କରି ଡାଟା ସେଂଟର ସ୍ଥାପନ କରିଛନ୍ତି ।
୨୦୨୪ରେ ୟେମେନରେ ସକ୍ରିୟ ଥିବା ହୁତି ଆତଙ୍କବାଦୀମାନେ ଲୋହିତ ସାଗର ଶଯ୍ୟାରେ ବିଛା ଯାଇଥିବା ଇଂଟରନେଟ୍ କେବୁଲଗୁଡ଼ିକୁ ନଷ୍ଟ କରି ଦେଇଥିଲେ ।
ଫଳରେ ଦୀର୍ଘଦିନ ଧରି ଏସିଆ ଓ ଆଫ୍ରିକାରେ ଇଂଟରନେଟ୍ ସ୍ପିଡ୍ ହ୍ରାସ ପାଇଥିଲା ।